ଆଜିଠାରୁ ବାହାଡ଼ଝୋଲାକୁ ୫ ଦିନ ସଟ‌ଡାଉନ୍ କଲେ ସରପଞ୍ଚ

ନୟାଗଡ଼,ଏନ୍ଏନ୍ଏସ୍: ବାହାଡ଼ଝୋଲାରୁ ୯ ଜଣ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହେବା ପରେ ସ୍ଥାନୀୟ ସଂକ୍ରମଣକୁ ବଢ଼ିବାର ଆଶଙ୍କାକୁ ଦୃଷ୍ଟିରେ ରଖି ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଅନ୍ତର୍ଗତ ବାହାଡ଼ଝୋଲା ପଞ୍ଚାୟତକୁ ଆଜିଠାରୁ ୫ ଦିନ ପାଇଁ ସଟ‌ଡାଉନ୍ ଘୋଷଣା କରିଛନ୍ତି ସରପଞ୍ଚ। ଆଜି ସକାଳ ୧୦ଟାରୁ ସଟଡାଉନ ଆରମ୍ଭ ହୋଇଥିବା ବେଳେ ୨୦ ତାରିଖରେ ଶେଷ ହେବ। ଏନେଇ ସରପଞ୍ଚ ବିଡିଓଙ୍କଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ଯାଏଁ ସମସ୍ତଙ୍କୁ ଅବଗତ କରାଇଛନ୍ତି। ଏଥିସହିତ ଲୋକମାନଙ୍କୁ ୫ ଦିନ ପର୍ଯ୍ୟନ୍ତ ଘରୁ ନବାହାରିବାକୁ ସରପଞ୍ଚ ଅନୁରୋଧ କରିଛନ୍ତି।

ଏଥିସହିତ ସଟଡାଉନର ତଦାରଖ କରିବା ପାଇଁ ସରପଞ୍ଚ ନୂଆଗାଁ ଥାନା ପୁଲିସ ଏବଂ ବାହାଡ଼ଝୋଲା ଫାଣ୍ଡିକୁ ମଧ୍ୟ ଅବଗତ କରାଇଛନ୍ତି। ଏଠାରେ ପ୍ରକାଶ ଯୋଗ୍ୟ ଯେ ନୟାଗଡ଼ ଜିଲ୍ଲା ସର୍ବପୁରାତନ ସାପ୍ତାହିକ ହାଟ ଭାବେ ପରିଚିତ ନିୟନ୍ତ୍ରିତ ବଜାର କମିଟି ବାହାଡ଼ାଝୋଲା ଦ୍ୱାରା ପରିଚାଳିତ ବାହାଡ଼ାଝୋଲା ହାଟଛକରୁ ଗତ ରବିବାର ଦିନ ୧୨୯ ଜଣଙ୍କ ସ୍ୱାବ ସଂଗ୍ରହ କରି ପରୀକ୍ଷା ପାଇଁ ପଠାଯାଇଥିଲା।

ମଙ୍ଗଳବାର ସନ୍ଧ୍ୟାରେ ଆସିଥିବା ୧୨୬ଟି ସ୍ୱାବ ରିପୋର୍ଟ ମଧ୍ୟରୁ ୮ଟି ପଜିଟିଭ ଚିହ୍ନଟ ହୋଇଥିଲା। ପୂର୍ବରୁ ମଧ୍ୟ ଏହି ଅଞ୍ଚଳରୁ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ହାଟଛକରେ ଥିବା ବସ୍ତ୍ରାଳୟର ମାଲିକ ସଂକ୍ରମିତଙ୍କ ସମ୍ପର୍କୀୟ ହୋଇଥିବାରୁ ଉକ୍ତ ବସ୍ତ୍ରାଳୟକୁ ପ୍ରଶାସନ ସିଲ କରିଛି।