କୁଆଁପାଳ,ଏନ୍ଏନ୍ଏସ୍: ଆଜାଦୀର ଅମୃତ ମହୋତ୍ସବ ଉପଲକ୍ଷେ ହରଘର୍ ତ୍ରିରଙ୍ଗା କାର୍ଯ୍ୟକ୍ରମ ଅବସରରେ ମାହାଙ୍ଗା ନିର୍ବାଚନ ମଣ୍ଡଳୀରେ କାର୍ଯ୍ୟକ୍ରମକୁ ସଫଳ କରାଇବା ପାଇଁ ମାହାଙ୍ଗାସ୍ଥିତ ସେବା ପ୍ରକୋଷ୍ଠରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ମାହାଙ୍ଗା ବିଜେପି ନେତା ଶାରଦା ପ୍ରଧାନ ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ କରାଇବା ପାଇଁ ପଦାଧିକାରୀମାନଙ୍କ ସହ ଆଲୋଚନା କରିଥିଲେ।
ହର୍ ଘର୍ ତ୍ରିରଙ୍ଗା କାର୍ଯ୍ୟକ୍ରମ ଅଗଷ୍ଟ ୧୩, ୧୪ ଓ ୧୫ ତିନି ଦିନ ଧରି ପାଳନ କରିବା ନିମନ୍ତେ ବିଜେପିର ସମସ୍ତ ରାଜ୍ୟ ଓ ଜିଲ୍ଲା ପଦାଧିକାରୀ, ରାଜ୍ୟ ଓ ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ, ମୋର୍ଚ୍ଚାର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ, ମୋର୍ଚ୍ଚାର ଜିଲ୍ଲା ସଭାପତି, ମଣ୍ଡଳ ସଭାପତି, ଜିଲ୍ଲାପରିଷଦ ପ୍ରାର୍ଥୀ, ପଞ୍ଚାୟତ ସଭାପତି, ବୁଥ୍ ସଭାପତି, ଜିଲ୍ଲା ମୋର୍ଚ୍ଚା ପଦାଧିକାରୀ, ମଣ୍ଡଳମୋର୍ଚ୍ଚା ସଭାପତି, ୱାର୍ଡସଭାପତି ଏବଂ ୱାର୍ଡସଭ୍ୟମାନେ ବୈଠକରେ ଯୋଗ ଦେଇଥିଲେ। ଏହି ଅବସରରେ ମାହାଙ୍ଗାର ୫୦ ହଜାର ଘରେ ତ୍ରିରଙ୍ଗା ଉଡାଇବା ନେଇ ନିଷ୍ପତ୍ତି ହୋଇଛି। ଏନେଇ ପ୍ରତ୍ୟେକ ସଦସ୍ୟ ନିଜ ନିଜ ମଣ୍ଡଳ, ପଞ୍ଚାୟତ ଓ ୱାର୍ଡରେ ଥିବା ବିଜେପିର ସକ୍ରିୟ ସଦସ୍ୟ, ପ୍ରାଥମିକ ସଦସ୍ୟ ଓ ଶୁଭେଚ୍ଛୁଙ୍କ ଦ୍ୱାରା କିପରି ଘରେ ଘରେ ତ୍ରିରଙ୍ଗା ଲାଗିପାରିବ ସେଥିପାଇଁ ଯୋଜନା ପ୍ରସ୍ତୁତ କରିଛନ୍ତି।