ରାଷ୍ଟ୍ରପତି ନିର୍ବାଚନରେ ସମର୍ଥନକୁ ନେଇ ସଞ୍ଜୟ ରାୱତଙ୍କ ବଦଳିଲା ସ୍ୱର

ମହାରାଷ୍ଟ୍ର: ରାଷ୍ଟ୍ରପତି ନିର୍ବାଚନରେ ସମର୍ଥନକୁ ନେଇ ଶିବସେନା ଅଡ଼ୁଆରେ ପଡ଼ିଯାଇଛି । ଶିବସେନା ରାଜ୍ୟସଭା ସାଂସଦ ସଞ୍ଜୟ ରାୱତ ପ୍ରଥମରୁ ବିରୋଧୀ ପ୍ରାର୍ଥୀ ଯଶୋବନ୍ତ ସିହ୍ନାଙ୍କୁ ସମର୍ଥନ କରିବାକୁ ନେଇ ଯୁକ୍ତି ବାଢ଼ୁଥିଲେ । କିନ୍ତୁ ଏବେ ଏମିତି କଛିି ବୟାନ ଦେଇଛନ୍ତି ଯାହାକି ବିରୋଧୀଙ୍କୁ ଚିନ୍ତାରେ ପକାଇବ ।

ସଞ୍ଜୟ ରାୱତ କହିଛନ୍ତି ଯେ, ବିରୋଧୀ ସବୁବେଳେ ରହିବା ଉଚିତ । ଆମର ବିରୋଧୀ ଦଳର ରାଷ୍ଟ୍ରପତି ପ୍ରାର୍ଥୀ ଯଶୋବନ୍ତ ସିହ୍ନାଙ୍କ ସହ ଭଲ ସମ୍ବନ୍ଧ ରହିଛି । ରାଷ୍ଟ୍ରପତି ନିର୍ବାଚନରେ ପୂର୍ବରୁ ଆମେ ଏନଡିଏ ପ୍ରାର୍ଥୀଙ୍କୁ ସମର୍ଥନ ନଦେଇ ପ୍ରତିଭା ପାଟିଲଙ୍କୁ ସମର୍ଥନ କରିଥିଲୁ । ଶିବସେନା ରାଷ୍ଟ୍ରପତି ନିର୍ବାଚନରେ ପ୍ରଣବ ମୁଖାର୍ଜୀଙ୍କୁ ବି ସମର୍ଥନ କରିଥିଲା । ଶିବସେନା କଦାପି ଚାପରେ ଆସି କୌଣସି ନିଷ୍ପତ୍ତି ନେଇନାହିଁ ।

ସଞ୍ଜୟ ରାୱତଙ୍କ ଏପରି ବୟାନ ପରେ ରାଷ୍ଟ୍ରପତି ନିର୍ବାଚନରେ ଶିବସେନା କାହାକୁ ସମର୍ଥନ କରିବ ତାହା ସ୍ପଷ୍ଟ ହୋଇପାରି ନାହିଁ । ଶିବସେନା ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରିବ ବୋଲି ଅନୁମାନ କରାଯାଉଥିଲେ ମଧ୍ୟ ସ୍ପଷ୍ଟ ଭାବେ କିଛି କହିହେବ ନାହିଁ ।