କର୍ମଚାରୀ କରୋନା ପଜିଟିଭ୍ ପରେ ୫ ଦିନ ସମ୍ୱଲପୁର ବିଶ୍ୱବିଦ୍ୟାଳୟ ବନ୍ଦ

ସମ୍ୱଲପୁର,ଏନ୍ଏନ୍ଏସ୍: ଦିନକୁ ଦିନ ବେକାବୁ ହେବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଫଳରେ ଏହାକୁ ନେଇ ଚିନ୍ତାରେ ରାଜ୍ୟବାସୀ। ଏହି ମଧ୍ୟରେ କରୋନାର ପ୍ରଭାବ ଶିକ୍ଷାନୁଷ୍ଠାନ ମାନଙ୍କରେ ମଧ୍ୟ ଦେଖିବାକୁ ମିଳିଛି। ଆଜି ସମ୍ୱଲପୁର ବିଶ୍ୱବିଦ୍ୟାଳୟର ଏକାଧିକ କର୍ମଚାରୀ କରୋନା ସଂକ୍ରମିତ ହୋଇଛନ୍ତି। ଏନେଇ ଆସନ୍ତା ୫ ଦିନ ପାଇଁ ସମ୍ବଲପୁର ବିଶ୍ୱବିଦ୍ୟାଳୟକୁ ବନ୍ଦ କରିଦିଆଯାଇଛି। ଏ ସମ୍ପର୍କରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।

ଏକାଧିକ କର୍ମଚାରୀ କରୋନା ପଜିଟିଭ ଚିହ୍ନଟ ହେବା ପରେ ଏହି ନିଷ୍ପତ୍ତି ହୋଇଛି। ଏହି ସମୟରେ କ୍ୟାମ୍ପସକୁ ସାନିଟାଇଜ୍ କରାଯିବ। ପଜିଟିଭ୍ ଚିହ୍ନଟ କର୍ମଚାରୀଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କର କଣ୍ଟାକ୍ଟ ଟ୍ରେସିଂ ବି କରାଯିବ। ସୂଚନା ଅନୁସାରେ ଗତ ୨୪ ଘଣ୍ଟାରେ ସମ୍ବଲପୁରରୁ ୧୭୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।