ସମ୍ବଲପୁର,ଏନ୍ଏନ୍ଏସ୍: ଚାରିଆଡେ କରୋନାକୁ ନେଇ ଆତଙ୍କ ଖେଳିଥିବା ବେଳେ ଏହାର ପ୍ରଭାବ ଲୋକସଭାରେ ମଧ୍ୟ ପଡ଼ିଛି। କରୋନା ସଂକ୍ରମଣ ଆଶଙ୍କାରେ ସମ୍ବଲପୁର ଲୋକସଭା ସାଂସଦ ନିତେଶ ଗଙ୍ଗଦେବ ରବିବାର ଠାରୁ ଆସନ୍ତା ୧୪ ଦିନ ପର୍ଯ୍ୟନ୍ତ ସପରିବାର ସହିତ ହୋମ ଆଇସୋଲେସନରେ ରହିଥିବା ଘୋଷଣା କରିଛନ୍ତି।
ସାମାଜିକ ଗଣମାଧ୍ୟମ ଜରିଆରେ ସୂଚନା ଦେଇ କହିଛନ୍ତି ଯେ, ନିତେଶଙ୍କ ସାନପୁଅ କେମ୍ବ୍ରିଜ (ୟୁକେ)ରୁ ଫେରିଛନ୍ତି। ତେବେ ଭଗବାନଙ୍କ କୃପାରୁ ସେ ଭଲ ଅଛନ୍ତି। କିନ୍ତୁ ସମାଜର ହିତ ପାଇଁ ସେ ଓ ତାଙ୍କର ପୁରା ପରିବାର ରାଜଧାନୀ ନୁଆଦିଲ୍ଲୀ ସ୍ଥିତ ସରକାରୀ ବାସଭବନରେ ହୋମ ଆଇସୋଲେସନରେ ରହିବାକୁ ନିଷ୍ପତ୍ତି ନେଇଛନ୍ତି। କରୋନା ଭୂତାଣୁ ସଂକ୍ରମଣ ସତର୍କତା ବାର୍ତ୍ତା ଦେବା ପାଇଁ ସେ ଓ ତାଙ୍କର ପରିବାର ଏହି ନିଷ୍ପତ୍ତି ନେଇଛନ୍ତି ବୋଲି ଜଣାଇଛନ୍ତି। ଏ ନେଇ ସମ୍ବଲପୁର ସାଂସଦ ନିତେଶ ଗଙ୍ଗଦେବ, ତାଙ୍କର ଧର୍ମପତ୍ନୀ ଓ ଦୁଇ ପୁତ୍ର ଏବେ ସାର୍ବଜନୀନ ଜୀବନରୁ ଅବ୍ୟାହତି ନେଇ ହୋମ ଆଇସୋଲେସନରେ ରହିଛନ୍ତି।