ଅଦାଲତରେ ହାଜର ହେବାରୁ ରକ୍ଷାପାଇଲେ ସଲମାନ୍

ଯୋଧପୁର, ଏଜେନ୍ସି:  କୃଷ୍ଣସାର ମୃଗ ଶିକାର କରିବା ମାମଲାରେ ଅଦାଲତରେ ହାଜର ହେବାରୁ ରକ୍ଷା ପାଇଛନ୍ତି ଅଭିନେତା ସଲମାନ ଖାନ୍। ୧୯୯୮ରେ କୃଷ୍ଣସାର ମୃଗ ଶିକାର ମାମଲାରେ ଆଗାମୀ ଶୁଣାଣି ଜାନୁଆରୀ ୧୬କୁ ଘୁଞ୍ଚାଇ ଦିଆଯାଇଛି। ମଙ୍ଗଳବାର ସଲମାନଙ୍କୁ କୋର୍ଟରେ ହାଜର ହେବାର ନିର୍ଦ୍ଦେଶ ରହିଥିବା ବେଳେ ଯୋଧପୁରରେ କୋଭିଡ୍-୧୯ ମାମଲା ବୃଦ୍ଧି ପାଉଥିବା ଯୋଗୁଁ ସେ କୋର୍ଟରେ ହାଜର ହୋଇପାରିବେନି ବୋଲି ତାଙ୍କ ଓକିଲ ନ୍ୟାୟାଳୟରେ ଆବେଦନ କରିଥିଲେ। ଓକିଲଙ୍କ ଆବେଦନ ଉପରେ ବିଚାର କରି ଯୋଧପୁର ଜିଲ୍ଲା ନ୍ୟାୟାଳୟ ଏହି ମାମଲାର ଶୁଣାଣିକୁ ଘୁଞ୍ଚାଇ ଦେଇଛନ୍ତି। ସୂଚନାଯୋଗ୍ୟ, କୃଷ୍ଣସାର ମୃଗ ଶିକାର ମାମଲାରେ ୨୦୧୮ ଏପ୍ରିଲ୍ ୫ରେ ଯୋଧପୁର କୋର୍ଟ ସଲମାନଙ୍କୁ ୫ବର୍ଷ ଜେଲ୍ ଦଣ୍ଡ ଶୁଣାଇଥିଲେ। ତେବେ ତିନି ଦିନ ପରେ ତାଙ୍କୁ ଜାମିନ୍ ମିଳି ଯାଇଥିଲା। ଏହା ଉପରେ ଅସନ୍ତୋଷ ବ୍ୟକ୍ତ କରି ରାଜସ୍ଥାନ ସରକାରଙ୍କ ପକ୍ଷରୁ କୋର୍ଟରେ ପିଟିସନ ଦିଆଯାଇଥିଲା।