ଶ୍ରୀରାଧାଙ୍କ ପାଦ ଦର୍ଶନ ପାଇଁ ସାକ୍ଷୀଗୋପୀନାଥଙ୍କ ମନ୍ଦିରରେ ଭକ୍ତଙ୍କ ଭିଡ଼

ସାକ୍ଷୀଗୋପାଳ,ଏନ୍ଏନ୍ଏସ୍: ଆଜି ପବିତ୍ର ଅଁଳା ନବମୀ ଅବସରରେ ପୁରୀର ସାକ୍ଷୀଗୋପାଳ ସ୍ଥିତ ସାକ୍ଷୀଗୋପିନାଥ ଦେବ ମନ୍ଦିରରେ ଶ୍ରୀରାଧାଙ୍କ ପାଦ ଦର୍ଶନ ପାଇଁ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି। ଏ ନେଇ ମନ୍ଦିର ପରିଚାଳନା କମିଟି, ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ହୋଇଛି । ଆଜି ଭୋରରେ ଦ୍ୱାର ଫିଟା ନୀତି ସରିବା ପରେ ୬ଟାରୁ ଭକ୍ତ ଦର୍ଶନ ଆରମ୍ଭ ହୋଇଛି । ଶ୍ରୀରାଧାଙ୍କ ଓଡିଆଣୀ ବେଶରେ ପାଦ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ ।

ଭକ୍ତଙ୍କ ଆଗମନକୁ ଦୃଷ୍ଟିରେ ରଖି ସୁରକ୍ଷା ପାଇଁ ୨୦ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି । ଏବଂ ଶ୍ରଦ୍ଧାଳୁଙ୍କ ସୁବିଧା ପାଇଁ ଅନ୍ୟାନ୍ୟ ପଦକ୍ଷେପ ନେଇଛି ପ୍ରଶାସନ । ଆଜି ପବିତ୍ର ଅଁଳା ନବମୀ । ରାଧାପାଦ ଦର୍ଶନ ପାଇଁ ଚଳଚଞ୍ଚଳ ହୋଇପଡିଛି ସାକ୍ଷୀଗୋପାଳ । ଦର୍ଶନ ପାଇଁ ଭକ୍ତଙ୍କ ଗହଳି ଜମିଛି । ଓଡିଆଣୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମାଆ । ପ୍ରଶାସନ ତରଫରୁ ଶୃଙ୍ଖଳିତ ଦର୍ଶନ ପାଇଁ ସୁବ୍ୟବସ୍ଥା କରାଯାଇଛି । ମନ୍ଦିର ପରିସରରେ ସୁରକ୍ଷା କଡାକଡି କରାଯାଇଛି ।

ବ୍ୟାରିକେଡରେ ଧାଡିରେ ଆସି ଶ୍ରଦ୍ଧାଳୁମାନେ ମାଆଙ୍କ ଦର୍ଶନ କରୁଛନ୍ତି । ସୁରକ୍ଷା ପାଇଁ ୨୦ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି । ରାତି ୧୨ଟାରେ ମନ୍ଦିର ଫିଟାଯାଇ ମଙ୍ଗଳଆଳତୀ, ମର୍ଦ୍ଦନ, ଅବକାଶ ନୀତି, ନଟବର ବେଶ, ସୂର‌୍ୟ୍ୟପୂଜା, ଦ୍ୱାରପାଳ ପୂଜା, ବଲ୍ଲଭ, ସକାଳ ଧୂପ, ବାଳ ଧୂପ, ମଦନମୋହନଦେବ ଭୋଗ ପରେ ଦେବନୀତି ଶେଷ କରାଯାଇଛି । ଦେବନୀତି ଶେଷ ପରେ ସାଢ଼େ ୫ଟାରୁ ୬ଟା ଯାଏ ସେବାୟତଙ୍କ ପରିବାର ଶ୍ରୀରାଧାଙ୍କ ପାଦଦର୍ଶନ ଓ ଓଡ଼ିଆଣୀ ବେଶ ଦର୍ଶନ କରିବା ପରେ ସକାଳ ସାଢ଼େ ୬ଟାରୁ ସାହାଣ ମେଲା ଦର୍ଶନ ଆରମ୍ଭ ହୋଇଛି । ଭକ୍ତ ଓ ଶ୍ରଦ୍ଧାଳୁମାନେ ଗର୍ଭଗୃହର ବେହରଣ ଦ୍ୱାର ନିକଟରୁ ଶ୍ରୀରାଧାଙ୍କ ପାଦଦର୍ଶନ କରୁଛନ୍ତି ।