ସହକାରୀ ଯନ୍ତ୍ରୀଙ୍କ ଗାଡି ଦୁର୍ଘଟଣାଗ୍ରସ୍ତ : ଫିଟନେସ ଓ ଇନ୍ସୁରାନ୍ସ ନଥାଇ ସରକାରୀ କାମରେ ବ୍ୟବହୃତ ହେଉଥିଲା ଗାଡି

ଝାରସୁଗୁଡା,ଏନ୍ଏନ୍ଏସ୍ : ଝାରସୁଗୁଡା ଜିଲ୍ଲା ଲଖନପୁର ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ପଂଚାୟତି ରାଜ ବିଭାଗରେ କାର୍ଯ୍ୟକରୁଥିବା ସହକାରୀ ଯନ୍ତ୍ରୀଙ୍କ ଗାଡି ସୋମବାର ଦୁର୍ଘଟଣାର ସମ୍ମୁଖୀନ ହୋଇଛି। ଡ୍ରାଇଭର ଦେବେନ୍ଦ୍ର କରାଳି ମଦ୍ୟପାନ କରି ଗାଡି ଚଲାଉଥିବାରୁ ଏହି ଦୁର୍ଘଟଣା ଘଟିଥିବା ପ୍ରତ୍ୟକ୍ଷଦର୍ଶୀମାନେ କହିଛନ୍ତି। ତେବେ ଦୁର୍ଘଟଣା ସମୟରେ ଗାଡିରେ ସହକାରୀ ଯନ୍ତ୍ରୀ ହରି ବନ୍ଧୁ ସାହୁ ନଥିବା ଲୋକେ କହିଛନ୍ତି।

ସୂଚନା ଅନୁଯାୟୀ, ଆଜି ପୂର୍ବାହ୍ନରେ ଡ୍ରାଇଭର ଜଣକ ଗାଡି ନେଇ ପଂଚାୟତିରାଜ ବିଭାଗ କାର୍ଯ୍ୟାଳୟକୁ ଯାଉଥିବା ସମୟରେ ନିୟନ୍ତ୍ରଣ ହରାଇ ରାସ୍ତା କଡରେ ଥିବା ଗଛରେ ଧକ୍କା ଦେଇଥିଲେ। ଫଳରେ ଡ୍ରାଇଭର ସାମନ୍ୟ ଆହତ ହୋଇଥିଲେ। ଖବରପାଇ ଲଖନପୁର ପୁଲିସ ଘଟଣାସ୍ଥଳକୁ ପହଂଚି ଡ୍ରାଇଭରକୁ ଲଖନପୁର ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା କରାଇଛି। ଏହାସହ ଦେବେନ୍ଦ୍ର ମଦ୍ୟପାନ କରି ଗାଡି ଚଲାଉଥିବାରୁ ତାଙ୍କ ବିରୋଧରେ ଏକ ମାମଲା ରୁଜୁକରିବା ସହ କୋର୍ଟ ଚାଲାଣ କରିବ ବୋଲି ପୁଲିସ ସୂଚନା ଦେଇଛି।

ଅନ୍ୟପଟେ ସହକାରୀ ଯନ୍ତ୍ରୀଙ୍କ ବ୍ୟବହାର କରୁଥିବା ଗାଡିଟି ଦେମାନି ବଢେଇଙ୍କ ନାମରେ ପଂଜିକୃତ ଥିବାବେଳେ ଏହାର ଫିଟନେସ ୨୦୧୯ ମସିହା ଜୁଲାଇ ୨୧ ତାରିଖରୁ ଶେଷ ହେଇଥିବାବେଳେ ଆଉଥରେ ଏହାର ଫିଟନେସ ଯାଂଚ କରାଯାଇ ନାହିଁ। ସେହିପରି ଗାଡିର ଇନ୍ସୁରେନ୍ସ ମଧ୍ୟ ନଥିବା ଜଣା ପଡିଛି। ଗୋଟିଏ ପଟେ ସରକାର ଗାଡି ଟ୍ରାଫିକ ନିୟମକୁ କଡାକଡି କରୁଥିବାବେଳେ ଅନ୍ୟପଟେ ସରକାରୀ କର୍ମଚାରୀମାନେ ଏହି ନିୟମକୁ ଉଲଙ୍ଘନ କରୁଛନ୍ତି। ସାଧାରଣ ଲୋକେ ଟ୍ରାଫିକ ନିୟମ ଉଲଙ୍ଘନ କଲେ ମୋଟା ଅଙ୍କର ଫାଇନ ଗଣୁଥିବାବେଳେ ସରକାରୀ କର୍ମଚାରୀମାନେ ବିନା ଦ୍ୱିଧାରେ ଫିଟନେସ ଓ ଇନ୍ସୁରାନ୍ସ ନଥିବା ଗାଡିରେ ଅନ ଗଭରମେଂଟ ଡ୍ୟୁଟିର ବୋର୍ଡ ଲଗାଇ ଯିବା ଆସିବା କରୁଛନ୍ତି।

ତେବେ ଫିଟନେସ ବିନା ଗାଡି କିପରି ବ୍ୟବହାର କରାଯାଉଥିଲା ତାହା ପଚାରିବା ପାଇଁ ସହକାରୀ ଯନ୍ତ୍ରୀ ଓ ଅନ୍ୟ ଅଧିକାରୀଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ ହେଁ ହୋଇ ପାରି ନାହିଁ। ତେବେ ସରକାରୀ ଡ୍ୟୁଟିରେ ମଦ୍ୟପାନ କରି ଫିଟନେସ ଓ ଇନ୍ସୁରାନ୍ସ ବିହୀନ ଗାଡି ବ୍ୟବହାରକୁ ନେଇ ସ୍ଥାନୀୟ ଅଂଚଳରେ ତୀବ୍ର ଉତେଜନା ପ୍ରକାଶ ପାଇଛି।