ଇଣ୍ଡିଆ ବୁକ୍ ଅଫ୍ ରେକର୍ଡରେ ସ୍ଥାନ ପାଇଲେ ଓଡିଆ ଲେଖକ ଡକ୍ଟର ସାଗର ପ୍ରଧାନ

କେନ୍ଦ୍ରାପଡ଼ା,ଏନ୍ଏନ୍ଏସ୍: ଇଣ୍ଡିଆ ବୁକ୍ ଅଫ୍ ରେକର୍ଡରେ ସ୍ଥାନ ପାଇଲେ ଓଡିଆ ଲେଖକ ତଥା କେନ୍ଦ୍ରାପଡା ଜିଲ୍ଲାର ଅଢ଼ଙ୍ଗା ମଲ୍ଲିକେଶ୍ବରପୁରର ବାସିନ୍ଦା ଡକ୍ଟର ସାଗର ପ୍ରଧାନ । ପରିବେଶ ସଫେଇ ଅଭିଯାନ ପାଇଁ ନିଜର ବ୍ୟକ୍ତିଗତ ଉଦ୍ୟମ ଲାଗି ଲେଖକ ତଥା ପରିବେଶବିତ୍ ଡକ୍ଟର ସାଗର ଏହି ସଫଳତା ହାସଲ କରିଛନ୍ତି ।

ଇଣ୍ଡିଆ ବୁକ୍ ଅଫ୍ ରେକର୍ଡ ଅନୁଯାୟୀ ’ଚାରା ରୋପଣ, ବେଳାଭୂମି ସଫେଇ, ପୋଖରୀର ପୁନରୁଦ୍ଧାର, ମୃତ୍ତିକା କ୍ଷୟ ରୋକିବା’ ଆଦି କାମ ପାଇଁ ଡକ୍ଟର ପ୍ରଧାନ ତାଙ୍କ ପୁସ୍ତକର ସମସ୍ତ ରୟାଲଟି ଅର୍ଥ ଦାନ କରିଛନ୍ତି । ଏହାଛଡା ଇଲେକ୍ଟ୍ରୋନିକ୍ ଓ ଡାକ୍ତରୀ ବର୍ଜ୍ୟବସ୍ତୁ ପରିଚାଳନା, ପ୍ଲାଷ୍ଟିକ ସମସ୍ୟା, କାର୍ବନ ଫୁଟ୍ ପ୍ରିଣ୍ଟ ହ୍ରାସ କରିବା ଆଦି ଦିଗରେ ଅନେକ ପରିବେଶ ସଚେତନତା ପ୍ରବନ୍ଧ ମଧ୍ୟ ରଚନା କରିଛନ୍ତି । ତାଙ୍କର ଏହି ପରିବେଶ ସୁରକ୍ଷା ଦିଗରେ କରିଥିବା ପ୍ରଚେଷ୍ଟା ପାଇଁ ତାଙ୍କ ନାମ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ ୨୦୨୨ରେ ସ୍ଥାନ ପାଇଛି ।

ସୂଚନା ଥାଉ କି ପରିବେଶ ସୁରକ୍ଷା ଦିଗରେ ନିଜ ଉଦ୍ୟମ ପାଇଁ ତାଙ୍କୁ ମିଳିତ ଜାତିସଂଘ “ବିଶ୍ବ ପରିବେଶ ଦିବସ ହିରୋ -୨୦୨୦” ଭାବେ ମଧ୍ୟ ନାମିତ କରିସାରିଛି । ସେ ଲଣ୍ଡନ କୋଲ୍ଟ ଟେକ୍ନୋଲୋଜିର ମୁଖ୍ୟ କେରି ଗିଲ୍ଡର ଏବଂ ପ୍ରସିଦ୍ଧ ପୋଲାର ଏକ୍ସପ୍ଲୋରର ରବର୍ଟ ସ୍ଵାନଙ୍କ ଦ୍ଵାରା କ୍ଲାଇମେଟ୍ ଫୋର୍ସ ୨୦୪୧ ସଷ୍ଟେନେବିଲିଟି ଚାମ୍ପିଅନ୍ ତାଲିକାର ଶ୍ରେଷ୍ଠ ୩ ତାଲିକାରେ ସ୍ଥାନ ପାଇଥିଲେ ।

ଡକ୍ଟର ପ୍ରଧାନ ଗତ ଏକ ଦଶନ୍ଧି ଧରି ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା, ଇଣ୍ଟରନେଟ୍ ଅଫ ଥିଙ୍ଗସ, ଇଲେକ୍ଟ୍ରୋନିକ ବର୍ଜ୍ୟବସ୍ତୁ ପରିଚାଳନା, ଅନ୍ତରୀକ୍ଷ ବିଜ୍ଞାନ ସମ୍ବନ୍ଧୀୟ ଏକାଧିକ ପୁସ୍ତକ ଏବଂ ଅନୁସନ୍ଧାନ ଆଲେଖ୍ୟ ଆଦି ରଚନା କରି ସାରିଛନ୍ତି। ଏହି ପୁସ୍ତକ ଗୁଡ଼ିକ ରାଜ୍ୟ ତଥା ଦେଶର ବିଭିନ୍ନ ବିଶ୍ଵବିଦ୍ୟାଳୟ ଗୁଡିକର ପାଠ୍ୟକ୍ରମରେ ସ୍ଥାନ ପାଇଛି । ଯାହା ଦ୍ବାରା ଅନେକ ଛାତ୍ରଛାତ୍ରୀ ତାଙ୍କ ଅନୁସନ୍ଧାନରେ ପ୍ରୟୋଗ କରି ଉପକୃତ ମଧ୍ୟ ହେଉଛନ୍ତି।

ସେ ତାଙ୍କର ଏହି ଉପଲବ୍ଧି ପାଇଁ ପୂର୍ବରୁ ମିଳିତ ଜାତିସଂଘର ପରିବେଶ ହିରୋ ସମ୍ମାନ, ଷ୍ଟୋରିମିରର ସର୍ବଶ୍ରେଷ୍ଠ ଲେଖକ ସମ୍ମାନ, ଇୟୁ ଅନ୍ତର୍ଜାତୀୟ ଲେଖକ ସମ୍ମାନ, ରୋଟାରୀ ସାହିତ୍ୟ ସମ୍ମାନ ଆଦିରେ ସମ୍ମାନିତ ହୋଇସାରିଛନ୍ତି । ଇଣ୍ଟରନେଟ୍ ଅଫ ଥିଙ୍ଗସ କ୍ଷେତ୍ରରେ ସାଗରଙ୍କ ଅନୁସନ୍ଧାନ ପାଇଁ ତାଙ୍କୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମଧ୍ୟ ସମ୍ମାନିତ କରିଛନ୍ତି ।