ଖୋଲିଲା ସାବରୀମାଳା ମନ୍ଦିର

ଥିରୁବନନ୍ତପୁରମ୍‌,ଏଜେନ୍ସି: ଛଅମାସ ପରେ ଖୋଲିଲା କେରଳ ସ୍ଥିତ ସାବରୀମାଳା ମନ୍ଦିର । କୋଭିଡ୍ ମହାମାରୀ ଲକ୍‌ଡାଉନ୍ ହେବା ପରେ ମାର୍ଚ୍ଚ ୨୪ରୁ ସାବରୀମାଳା ମନ୍ଦିର ବନ୍ଦ ରହିଥିଲା । ଶୁକ୍ରବାରଠାରୁ ଆୟାପ୍ପା ଭଗବାନଙ୍କ ପାଞ୍ଚ ଦିବସୀୟ ମାସିକ ପୂଜନ ପାଇଁ ମନ୍ଦିରକୁ ଖୋଲାଯାଇଛି । ମନ୍ଦିର କମିଟି ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ଶୁକ୍ରବାର ସନ୍ଧ୍ୟା ୫ଟାରୁ ମନ୍ଦିର ଖୋଲାଯାଇଛି । ତେବେ ସକାଳ ୫ଟାରୁ ଶ୍ରଦ୍ଧାଳୁଙ୍କୁ ମନ୍ଦିରରେ ପ୍ରବେଶ ପାଇଁ ଅନୁମତି ଦିଆଯିବ ।

ମନ୍ଦିର ଦର୍ଶନର ୪୮ଘଣ୍ଟା ପୂର୍ବରୁ କୋଭିଡ୍ ଟେଷ୍ଟ କରାଯିବା ସହ ଶ୍ରଦ୍ଧାଳୁମାନେ ସମସ୍ତ କୋଭିଡ୍ ଗାଇଡ୍‌ଲାଇନ୍ ପାଳନ କରିବାକୁ ମୁଖ୍ୟମନ୍ତ୍ରୀ ପିନରାଇ ବିଜୟନ୍‌ଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଦୈନିକ କେବଳ ୨୫୦ଜଣ ଭକ୍ତଙ୍କୁ ଦର୍ଶନ ପାଇଁ ଅନୁମତି ଦିଆଯିବ । ସାନିଟାଇଜର, ମାସ୍କ ଏବଂ ସାମାଜିକ ଦୂରତା ବାଧ୍ୟତାମୂଳକ ରହିବ । ଏହାଛଡ଼ା କୋଭିଡ୍‌-୧୯କୁ ଦୃଷ୍ଟିରେ ରଖି ମନ୍ଦିର ପରିସରରେ ଆବଶ୍ୟକ ସଂଖ୍ୟାରେ ପୁଲିସ କର୍ମୀ ଏବଂ ସ୍ୱାସ୍ଥ୍ୟକର୍ମୀ ନିଯୁକ୍ତ କରାଯାଇଛି ବୋଲି ମନ୍ଦିର କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।