ପ୍ରଥମ ବିଦେଶ ମନ୍ତ୍ରୀ ଭାବେ କତାର ଯିବେ ଏସ୍ ଜୟଶଙ୍କର

ନୂଆଦିଲ୍ଲୀ,ଏଜେନ୍ସି: ବିଦେଶ ମନ୍ତ୍ରୀ ସୁବ୍ରମଣ୍ୟମ ଜୟଶଙ୍କର ଆଜି ରବିବାର କତାର ପାଇଁ ୨ ଦିନିଆ ଗସ୍ତରେ ଯିବେ। ଏହି ସମୟରେ ସେ କତାରର ଉପପ୍ରଧାନମନ୍ତ୍ରୀ ଓ ବିଦେଶମନ୍ତ୍ରୀ ଶେଖ ମହମ୍ମଦ ବିନ ଅବଦୁଲ ରହମାନ ବିନ ଜସିମ ଉଲ ଥାନୀ ସମେତ ଅନ୍ୟ ବିଶିଷ୍ଠ ବ୍ୟକ୍ତିମାନଙ୍କୁ ଭେଟିବେ। ବିଦେଶମନ୍ତ୍ରୀ ଜୟଶଙ୍କର ଉପକୂଳ ଦେଶକୁ ଯାତ୍ରା କରୁଥିବା ନେଇ ଘୋଷଣା କରିଛନ୍ତି। ଏହି ଗସ୍ତ ସମୟରେ ନିଜର ସମକକ୍ଷଙ୍କ ସହିତ ଦ୍ୱିପାକ୍ଷିକ ପ୍ରସଙ୍ଗରେ ଆଲୋଚନା କରିବେ। ଏତଦ ବ୍ୟତୀତ ଆଞ୍ଚଳିକ ଓ ଅନ୍ତର୍ଜାତୀୟ ପ୍ରସଙ୍ଗରେ ମଧ୍ୟ ଚର୍ଚ୍ଚା କରିବେ।

ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ, କୋଭିଡ-୧୯ ମହାମାରୀ ସମୟରେ ଉଚ୍ଚ ସ୍ତରୀୟ ସମ୍ପର୍କ ରଖିଛି କତାର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ କତାରର ଅମୀର ଶେଖ ତମରନ ବିନ ବିଗତ କିଛି ମାସ ହେବ ଟେଲିଫୋନରେ ୩ ଥର କଥା ହୋଇଛନ୍ତି। ବିଦେଶ ମନ୍ତ୍ରୀ ଏବଂ ଅନ୍ୟ କ୍ୟାବିନେଟ ମନ୍ତ୍ରୀ ମଧ୍ୟ କତାରରେ ନିଜର ସମକକ୍ଷଙ୍କ ସହିତ ଆଲୋଚନା କରିବେ। ସୂଚନାଯୋଗ୍ୟ, କତାରରେ ପ୍ରାୟ ୭ ଲକ୍ଷ ଭାରତୀୟ ଅଛନ୍ତି।