ଏସିଆ କପ୍‌ରୁ ରୂପିନ୍ଦର ଆଉଟ୍‌, ବୀରେନ୍ଦ୍ରଙ୍କୁ ନେତୃତ୍ୱ

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ଆସନ୍ତା ୨୩ରୁ ଇଣ୍ଡୋନେସିଆର ଜାକର୍ତ୍ତାଠାରେ ଆରମ୍ଭ ହେଉଥିବା ଏସିଆ କପ୍ ହକି ପୂର୍ବରୁ ଭାରତୀୟ ପୁରୁଷ ଦଳକୁ ଶୁକ୍ରବାର ଜବରଦସ୍ତ ଝଟ୍‌କା ଲାଗିଛି। କାରଣ ଦଳର ଅଧିନାୟକ ନିଯୁକ୍ତ ହୋଇଥିବା ଭେଟେରାନ୍ ଡ୍ରାଗ୍‌ଫ୍ଲିକର୍ ରୂପିନ୍ଦର ପାଲ୍ ସିଂହ ଏହି ଟୁର୍ଣ୍ଣାମେଣ୍ଟ୍‌ରୁ ବାଦ୍ ପଡ଼ିଛନ୍ତି। ଅବସର ନେଇଥିଲେ ହେଁ ଏସିଆ କପ୍ ପାଇଁ ଦଳକୁ ଫେରିଥିବା ରୂପିନ୍ଦର ଟ୍ରେନିଂ ସେସନ୍‌ରେ ତାଙ୍କ କଚଟୀରେ ଆଘାତ ପାଇଛନ୍ତି। ତେଣୁ ତାଙ୍କ ସ୍ଥାନରେ ଦଳର ଉପଅଧିନାୟକ ରହିଥିବା ଓଡ଼ିଆ ଡିଫେଣ୍ଡର୍ ବୀରେନ୍ଦ୍ର ଲାକ୍ରା ଅଧିନାୟକ ଦାୟିତ୍ୱ ତୁଲାଇବେ।

ସେହିପରି ଏହି ୨୦ ଜଣିଆ ଦଳର ଉପଅଧିନାୟକ ଦାୟିତ୍ୱ ଅଭିଜ୍ଞ ଷ୍ଟ୍ରାଇକର୍ ଏସ୍‌ଭି ସୁନୀଲଙ୍କୁ ପ୍ରଦାନ କରାଯାଇଥିବା ଶୁକ୍ରବାର ହକି ଇଣ୍ଡିଆ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି। ସେହିପରି ରୂପିନ୍ଦରଙ୍କ ସ୍ଥାନରେ ପୂର୍ବରୁ ବଦଳ ଖେଳାଳି ସୂଚୀରେ ରହିଥିବା ଓଡ଼ିଆ ଖେଳାଳି ନୀଲମ ସଞ୍ଜୀପ୍ ଖେସ୍‌ଙ୍କୁ ନିୟମିତ ଦଳରେ ନିଆଯାଇଛି। ରୂପିନ୍ଦରଙ୍କ ଅନୁପସ୍ଥିତି ନିଶ୍ଚିତ ଭାବେ ଦୁର୍ଭାଗ୍ୟଜନକ। କିନ୍ତୁ ବୀରେନ୍ଦ୍ର ଓ ସୁନୀଲଙ୍କ ପାଖରେ ଦଳକୁ ନେତୃତ୍ୱ ଦେବା ସକାଶେ ଯଥେଷ୍ଟ ଅଭିଜ୍ଞତା ରହିଛି। ତା’ଛଡ଼ା ଦଳରେ ଅନେକ ପ୍ରତିଭାଶାଳୀ ଖେଳାଳି ଅଛନ୍ତି। ସେମାନେ ଏସିଆ କପ୍‌ରେ ନିଶ୍ଚିତ ଭାବେ ସେମାନଙ୍କ ଦକ୍ଷତାର ଉପଯୋଗ କରିବେ ବୋଲି ହକି ଇଣ୍ଡିଆ ପକ୍ଷରୁ ଆଶା ବ୍ୟକ୍ତ କରାଯାଇଛି।