ଛାତ୍ରଙ୍କ ବିଦ୍ରୋହ ପାଇଁ ଖାନ ସାରଙ୍କ ନାଁରେ ମାମଲା

ପାଟନା,ଏଜେନ୍ସି: ରେଳବାଇ ନିଯୁକ୍ତି ବୋର୍ଡର ପରୀକ୍ଷାରେ ଅନିୟମିତତା ନେଇ ଅଶାନ୍ତ ହୋଇଛି ବିହାର। ରାଜ୍ୟର ବିଭିନ୍ନ ସ୍ଥାନରେ ୩ ଦିନ ହେବ ଉତ୍ତେଜନା ଲାଗି ରହିଛି। ଗୟାରେ ଶତାଧିକ ଆବେଦନକାରୀ ଭାବୁଆ-ପାଟନା ଇଣ୍ଟରସିଟି ଏକ୍ସପ୍ରେସର ଏକ ବଗିରେ ନିଆଁ ଲଗାଇ ଦେଇଛନ୍ତି। ଛାତ୍ରମାନଙ୍କ ବିଦ୍ରୋହ ନେଇ ପାଟନାର ଖାନ ସାରଙ୍କ ନାମରେ ମାମଲା ଦାୟର ହୋଇଛି। ଆନ୍ଦୋଳନ ପାଇଁ ଛାତ୍ରଙ୍କୁ ଉସକାଇବା ନେଇ ପତ୍ରକାର ନଗର ଥାନାରେ ମାମଲା ଦାୟର ହୋଇଛି।

ରାଜ୍ୟ ରାଜଧାନୀ ସ୍ଥିତ ପତ୍ରକାର ନଗରରେ ହୋଇଥିବା ହିଂସା ପାଇଁ ଖାନ ସାରଙ୍କୁ ଦାୟୀ କରାଯାଇଛି। ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହୋଇଛି ଯେଉଁଥିରେ ଖାନ ସାର ପିଲାମାନଙ୍କୁ ଉସକାଉଥିବା ଦେଖିବାକୁ ମିଳିଛି । ଏହାକୁ ଆଧାର କରି ଖାନ ସାରଙ୍କ ନାମରେ ମାମଲା ରୁଜ୍ଜୁ ହୋଇଛି। ଏ ନେଇ ଖାନ ସାର ପ୍ରତିକ୍ରିୟାରେ କହିଛନ୍ତି, ଆରଆରବି ବର୍ତ୍ତମାନ ଯେଉଁ ନିଷ୍ପତ୍ତି ନେଇଛି ଯଦି ୧୮ ତାରିଖରେ ନେଇଥାନ୍ତା ତେବେ ଏପରି ସ୍ଥିତି ଉପୁଜିନଥାନ୍ତା। ଖାନ ସାର ଜଣେ କୋଚିଂ ଶିକ୍ଷକ ଯିଏକି ୟୁଟ୍ୟୁବରେ ଖାନ ଜିଏସ ରିସର୍ଚ ସେଣ୍ଟର ଚଳାନ୍ତି।

ଖାନ ସାରଙ୍କ ବ୍ୟତୀତ ୩୦୦ ରୁ ୪୦୦ ଲୋକଙ୍କ ବିରୁଦ୍ଧରେ ଷଡ଼ଯନ୍ତ୍ର, ସଡ଼କ ପଥରେ ବାଧା ସୃଷ୍ଟି କରିବା, ମାଜିଷ୍ଟ୍ରେଟ ଏବଂ ପୋଲିସ କର୍ମଚାରୀଙ୍କୁ ଅପମାନିତ କରିବା, ଟ୍ରାଫିକ୍ ଏବଂ ଜନସାଧାରଣ ସଡ଼କରେ ବାଧା ସୃଷ୍ଟି କରିବା ଅଭିଯୋଗ, ଆଇପିସିର ଧାରା ୧୪୭/୧୪୮/୧୪୯/୧୫୧/୧୫୨। /୧୮୬/୧୮୭/୧୮୮/୩୨୩/୩୩୨/୩୫୩/୫୦୪/୫୦୬ / ୧୨୦ବି ଅଧୀନରେ ମାମଲା ଦାୟର ହୋଇଛି।