ନୂଆଦିଲ୍ଲୀ,ଏଜେନ୍ସି: ମେଲ୍ବର୍ଣ୍ଣ ଟେଷ୍ଟରେ ଆହତ ହୋଇଥିବା ଉମେଶ ଯାଦବ ପୂରା ସିରିଜ୍ର ବାଦ୍ ପଡ଼ିବା ପରେ ତାମିଲନାଡୁର ୟର୍କର ସେନସେସନ ଥଙ୍ଗାରାସୁ ନଟରାଜନଙ୍କୁ ତାଙ୍କ ବଦଳରେ ଖେଳାଳି ଭାବେ ଭାରତୀୟ ଦଳରେ ସାମିଲ କରାଯାଇଛି। ପୂର୍ବରୁ ଆହତ ହୋଇ ସିରିଜରୁ ବାଦ୍ ପଡ଼ିଥିବା ମହମ୍ମଦ ଶାମିଙ୍କ ସ୍ଥାନରେ ଶାର୍ଦ୍ଦୁଲ ଠାକୁରଙ୍କୁ ସାମିଲ କରାଯାଇଥିବା ବେଳେ ଶୁକ୍ରବାର ନଟରାଜନଙ୍କ ନାମ ଘୋଷଣା କରାଯାଇଛି। ନେଟ୍ ବୋଲର୍ ଭାବେ ଭାରତୀୟ ଦଳ ସହିତ ଥିବା ନଟରାଜନଙ୍କ ଏହି ଗସ୍ତ ଅବସରରେ ଦିନିକିଆ ଏବଂ ଟି-୨୦ ଡେବ୍ୟୁ କରିଥିଲେ। ବର୍ଡର-ଗାଭାସ୍କର ସିରିଜ୍ର ଦ୍ୱିତୀୟ ମ୍ୟାଚ୍ର ୩ୟ ଦିନରେ ଜଙ୍ଘ ମାଂସପେଶୀ ଟାଣି ହୋଇଯିବାରୁ ଅବଶିଷ୍ଟ ଓଭର୍ ଉମେଶ ବୋଲିଂ କରିପାରିନଥିଲେ। ପରେ ତାଙ୍କୁ ଅନ୍ୟୁନ ୬ ସପ୍ତାହ ପାଇଁ କ୍ରିକେଟରୁ ଦୂରେଇ ରହିବାକୁ ପରାମର୍ଶ ଦିଆଯିବାରୁ ସେ ସିରିଜରୁ ବାଦ୍ ପଡ଼ିଥିଲେ। ତେଣୁ ତାଙ୍କ ସ୍ଥାନରେ ଶୁକ୍ରବାର ବିସିସିଆଇ ପକ୍ଷରୁ ନେଟ୍ ବୋଲର୍ ନଟରାଜନଙ୍କୁ ଦଳରେ ସାମିଲ କରାଯାଇଛି। ନଟରାଜନ୍ ଗୋଟିଏ ଦିନିକିଆ ଏବଂ ୩ଟି ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳି ମୋଟ ୮ଟି ୱିକେଟ୍ ନେଇଥିଲେ।
ସେହିପରି ବିସିସିଆଇ ପକ୍ଷରୁ ଶୁକ୍ରବାର ଚେତେଶ୍ୱର ପୂଜାରାଙ୍କ ସ୍ଥାନରେ ରୋହିତ ଶର୍ମାଙ୍କୁ ଦଳର ଉପଅଧିନାୟକ ଭାବେ ପ୍ରଥମଥର ନିଯୁକ୍ତ କରାଯାଇଛି। ନିୟମିତ ଅଧିନାୟକ ବିରାଟ କୋହଲି ପ୍ରଥମ ଟେଷ୍ଟ ପରେ ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରିବା ପରେ ଆଜିଙ୍କ୍ୟ ରାହାଣେଙ୍କୁ ଦଳର କାର୍ଯ୍ୟବାହକ ଅଧିନାୟକ ଘୋଷଣା କରାଯାଇଥିଲା। ବକ୍ସିଂ ଡେ’ ଟେଷ୍ଟ ପାଇଁ ପୂଜାରାଙ୍କୁ ତାଙ୍କ ଡେପୁଟି ଚୟନ କରାଯାଇଥିଲା। ତେବେ ମ୍ୟାନେଜମେଣ୍ଟ୍ରା ପୂର୍ବ ଘୋଷଣା ମୁତାବକ ଫିଟ୍ ହେବା ସହ ସଙ୍ଗରୋଧ ଅବଧି ଶେଷକରି ଦଳରେ ଯୋଗ ଦେଇଥିବା ରୋହିତ ପରବର୍ତ୍ତୀ ଦୁଇ ଟେଷ୍ଟ ପାଇଁ ଉପଅଧିନାୟକ ନିଯୁକ୍ତ କରାଯାଇଛି।