ଇଂଲଣ୍ଡ ବିପକ୍ଷ ଟେଷ୍ଟରୁ ରୋହିତ ଆଉଟ, ବୁମ୍ରା ନୂଆ କ୍ୟାପ୍ଟେନ

ଲଣ୍ଡନ,ଏଜେନ୍ସି: ଇଂଲଣ୍ଡ ସହ ବାକି ରହିଥିବା ଟେଷ୍ଟ ସିରିଜ୍‌ର ୫ମ ମ୍ୟାଚ୍‌ରେ ଖେଳିବେନି ଭାରତୀୟ ଟିମ୍‌ର ଅଧିନାୟକ ରୋହିତ ଶର୍ମା। ଆସନ୍ତା ୧ ତାରିଖରୁ ଏଜବାଷ୍ଟନରେ ଏହି ମ୍ୟାଚ୍‌ ଆରମ୍ଭ ହେଉଥିବା ବେଳେ ରୋହିତ କିଛି ଦିନ ତଳେ କରୋନାରେ ଆକ୍ରାନ୍ତ ହୋଇଥିଲେ। ସେ ୧ ତାରିଖ ସୁଦ୍ଧା ସୁସ୍ଥ ହେବାର ସମ୍ଭାବନା ନଥିବାରୁ ତାଙ୍କୁ ପୂରା ମ୍ୟାଚ୍‌ରୁ ବାଦ ଦିଆଯାଇଛି।

ତାଙ୍କ ବଦଳରେ ଟେଷ୍ଟ ଟିମ୍‌ର କମାଣ ଦ୍ରୁତ ବୋଲର ଯଶପ୍ରୀତ ବୁମ୍ରା ସମ୍ଭାଳିବେ। ପ୍ରଥମଥର ପାଇଁ ଭାରତ ବୁମ୍ରାଙ୍କ ନେତୃତ୍ୱରେ କୌଣସି ମ୍ୟାଚ୍‌ ଖେଳିବାକୁ ୧ ତାରିଖରେ ମୈଦାନକୁ ଓହ୍ଲାଇବ। ରୋହିତ କରୋନାରେ ଆକ୍ରାନ୍ତ ହୋଇଥିବାରୁ ବିସିସିଆଇ ମୟଙ୍କ ଅଗ୍ରୱାଲଙ୍କୁ ମଧ୍ୟ ସ୍କ୍ୱାଡରେ ସାମିଲ କରିଛି। ସେ ସମ୍ଭବତଃ ଶୁବମନ ଗିଲଙ୍କ ସହ ଏଜବାଷ୍ଟନ ଟେଷ୍ଟରେ ଟିମ୍‌ ଇଣ୍ଡିଆ ପାଇଁ ଇନିଂସ ଆରମ୍ଭ କରିବେ।

ଇଂଲଣ୍ଡ ବିପକ୍ଷ ଏହି ଟେଷ୍ଟ ସିରିଜ୍‌ର ୪ଟି ମ୍ୟାଚ୍‌ ଗତବର୍ଷ ଠାରୁ ଖେଳା ଯାଇ ସାରିଛି। ୫ ଟିକିଆ ସିରିଜ୍‌ କରୋନା ଯୋଗୁ ବନ୍ଦ ରହିଥିଲା। ଏଥିପାଇଁ ଭାରତ ଏବେ ବାକି ରହିଥିବା ଶେଷ ମ୍ୟାଚ୍‌ ଇଂଲଣ୍ଡ ସହ ୧ ତାରିଖରୁ ଖେଳିବ। ବର୍ତ୍ତମାନ ଟିମ ଇଣ୍ଡିଆ ସିରିଜ୍‌ରେ ୨-୧ରେ ଆଗୁଆ ରହିଛି। ଯଦି ଦଳ ଶେଷ ମ୍ୟାଚ୍‌କୁ ଜିତିବ କିମ୍ବା ଡ୍ର କରିବ, ତା’ହେଲେ ଇଂଲଣ୍ଡ ମାଟିରେ ଇତିହାସ ସୃଷ୍ଟି କରିବାରେ ସକ୍ଷମ ହେବ। କାରଣ ୨୦୦୭-୦୮ ପରେ ଭାରତୀୟ ଟିମ୍‌ ଇଂଲଣ୍ଡରେ ଟେଷ୍ଟ ସିରିଜ ଜିତିବାକୁ ସକ୍ଷମ ହୋଇନି।

କିନ୍ତୁ ରୋହିତ ଶର୍ମା କରୋନା ଯୋଗୁ ବାଦ ପଡ଼ିବା ଓ କେଏଲ ରାହୁଲ ଦଳରେ ନ ରହିବା ଟିମ ଇଣ୍ଡିଆର ଚିନ୍ତାକୁ ବଢ଼ାଇ ଦେଇଛି। ଦୁଇ ବରିଷ୍ଠ ଖେଳାଳି ନଥିବାରୁ ଏବେ ସବୁ ଦାୟିତ୍ୱ ପୂର୍ବତନ ଅଧିନାୟକ ବିରାଟ କୋହଲି ଓ ଅଭିଜ୍ଞ ଚେତେଶ୍ୱର ପୂଜାରାଙ୍କ ଉପରେ ରହିବ।