ବିରାଟ କୋହଲିଙ୍କୁ ପଛରେ ପକାଇଲେ ରୋହିତ ଶର୍ମା, କଲେ ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ,ଏଜେନ୍ସି: ୱେଷ୍ଟଇଣ୍ଡିଜ୍‌କୁ ଭାରତ ୫ ମ୍ୟାଚର ଟି-୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚରେ ପରାସ୍ତ କରିଛି । ଏହି ମ୍ୟାଚରେ ଟିମ୍ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମାଙ୍କ ବ୍ୟାଟରୁ ଭଲ ରନ୍ ସଂଗ୍ରହ ହୋଇଛି । ରୋହିତ ଶର୍ମାଙ୍କ ପାଇଁ ଏହି ମ୍ୟାଚ ସ୍ୱତନ୍ତ୍ର । ଏହି ମ୍ୟାଚରେ ସେ ନିଜ ନାଁରେ ବଡ଼ ରେକର୍ଡ କରିବା ସହିତ ଟିମ୍‌କୁ ବିଜୟ ଦେଇପାରିଛନ୍ତି । ରୋହତି ନିଜର ପାଳିରେ ଏକ ବଡ଼ ନାଁ କରିଛନ୍ତି, ଯେଉଁଥିରେ କି ବିରାଟ କୋହଲିଙ୍କ ରେକର୍ଡ ଭାଙ୍ଗିଛି ।

ଇଂଲଣ୍ଡ ଗସ୍ତରେ ରୋହିତ ଶର୍ମା ବିଶ୍ରାମ ନେଇଥିଲେ । ତାଙ୍କ ବ୍ୟାଟରୁ ଦୀର୍ଘ ଦିନ ହେବ ବଡ଼ ସ୍କୋର ଆସି ନଥିଲା । ରୋହିତ ତ୍ରିନିଦାଦରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ୩୫ଟି ବଲ୍ ଖେଳି ଅର୍ଦ୍ଧଶତକ ହାସଲ କରିଥିଲେ । ଏହି ମ୍ୟାଚରେ ସେ ୧୪୫.୪୫ ହାରରେ ବ୍ୟାଟିଂ କରି ୪୪ଟି ବଲ୍ ଖେଳି ୬୪ ରନ୍ କରିଥିଲେ । ଏହି ପାଳିରେ ସେ ୭ଟି ଚୌକା ଓ ୨ଟି ଛକା ମାରିଥିଲେ । ରୋହିତ ଶର୍ମା ୨୫୦ ଦିନ ପରେ ଅର୍ଦ୍ଧଶତକ ହାସଲ କରିଛନ୍ତି । ସେ ଏହା ପୂର୍ବରୁ ୨୦୨୧ ନଭେମ୍ବର ୨୧ରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଅର୍ଦ୍ଧଶତକ (୫୧ରନ୍‌) ମାରିଥିଲେ । ଭାରତ ସେହି ମ୍ୟାଚକୁ ୭୩ ରନ୍‌ରେ ବିଜୟୀ ହୋଇଥିଲା ।

ଟି-୨୦ ଅନ୍ତର୍ଜାତୀୟ କ୍ରିକେଟରେ ରୋହିତ ଶର୍ମାଙ୍କ ଏହା ଥିଲା ୨୭ତମ ଅର୍ଦ୍ଧଶତକ । ରୋହିତ ଟି-୨୦ରେ ୪ଟି ଶତକ ହାସଲ କରିଛନ୍ତି । ଏହି ପାଳି ସହିତି ରୋହିତ ୩୧ ଥର ଟି-୨୦ ଅନ୍ତର୍ଜାତୀୟରେ ୫୦ ଅଥବା ଏଥିରୁ ଅଧିକ ରନ ସଂଗ୍ରହ କରିଛନ୍ତି । ପୂର୍ବରୁ ଏହି ରେକର୍ଡ ବିରାଟ କୋହଲିଙ୍କ ନାଁରେ ଥିଲା । କୋହଲି ଟି-୨୦ ଅନ୍ତର୍ଜାତୀୟରେ ୩୦ ଥର ୫୦ ଅଥବା ଏଥିରୁ ଅଧିକ ରନ ସଂଗ୍ରହ କରିଛନ୍ତି ।

ୱେଷ୍ଟଇଣ୍ଡିଜ ବିପକ୍ଷ ଶୃଙ୍ଖଳାର ପ୍ରଥମ ମ୍ୟାଚ ପରେ ଟି-୨୦ରେ ବିଶ୍ୱର ସର୍ବାଧିକ ରନ୍ ସଂଗ୍ରହକାରୀ ବ୍ୟାଟର ହୋଇଛନ୍ତି । ସେ ନ୍ୟୁଜିଲାଣ୍ଡର କ୍ରିକେଟର ମାର୍ଟିନ ଗୁପଟିଲଙ୍କ ରେକର୍ଡ ଭାଙ୍ଗିଛନ୍ତି । ମାର୍ଟିନ ଟି-୨୦ରେ ୩୩୯୯ ରନ୍ ସଂଗ୍ରହ କରିଥିଲା ବେଳେ ରୋହିତ ଶର୍ମାଙ୍କ ରନ୍ ୩୪୪୩ ରନ୍ ସଂଗ୍ରହ କରିଛନ୍ତି ।