ଇସ୍ରୋ ମୁଖ୍ୟ ହେଲେ ରକେଟ ଇଂଜିନିୟରିଂ ଏକ୍ସପର୍ଟ ଏସ୍ ସୋମନାଥ

ନୂଆଦିଲ୍ଲୀ,ଏଜେନ୍ସି: ସରକାର ଏସ ସୋମନାଥଙ୍କୁ ଭାରତୀୟ ମହାକାଶ ଅନୁସନ୍ଧାନ ସଂଗଠନ (ଇସ୍ରୋ)ର ନୂତନ ଚେୟାରମ୍ୟାନ୍ ଭାବରେ ନିଯୁକ୍ତ କରାଯାଇଛି। ଆଜି ପୂର୍ବତନ ଇସ୍ରୋ ମୁଖ୍ୟ କେ. ଶିବମଙ୍କ କାର୍ଯ୍ୟକାଳ ଶେଷ ହେବା ପରେ ସୋମନାଥଙ୍କୁ ସେ କାର୍ଯ୍ୟଭାର ହସ୍ତାନ୍ତର କରିଛନ୍ତି। ପୂର୍ବରୁ ବୈଜ୍ଞାନିକ ସୋମନାଥ ଥିରୁଅନନ୍ତପୁରମର ବିକ୍ରମ ସରାଭାଇ ସ୍ପେଶ ସେଣ୍ଟରର ନିର୍ଦ୍ଦେଶକ ଦାୟିତ୍ବରେ ରହିଥିଲେ। ଏଠାରେ ସେ ୪ ବର୍ଷ କାର୍ଯ୍ୟ କରିବା ପରେ ସୋମନାଥ ଏହି ଦାୟିତ୍ବ ଗ୍ରହଣ କରିଛନ୍ତି। ସେ ଅଢେଇ ବର୍ଷ ଧରି ଲିକ୍ବିଡ୍ ପ୍ରପୁଲସନ୍ ସିଷ୍ଟମ୍ ସେଣ୍ଟରର ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରିଥିଲେ। ଲଞ୍ଚ ଯାନର ସିଷ୍ଟମ ଇଞ୍ଜିନିୟରିଂ କ୍ଷେତ୍ରର ଜଣେ ବିଶେଷଜ୍ଞ ହେଉଛନ୍ତି ସୋମନାଥ। ପିଏସ୍‌ଏଲ୍‌ଭି ଏବଂ ଜିଏସ୍‌ଏଲ୍‌ଭି ଏମ୍‌କେ-୩ର ସାମଗ୍ରିକ ସ୍ଥାପତ୍ୟ, ଡିଜାଇନ୍, ଗଠନ, ଗତିଶୀଳ ଡିଜାଇନ୍, ବିଚ୍ଛିନ୍ନତା ପ୍ରଣାଳୀ, ଯାନ ଏକୀକରଣ ପ୍ରକ୍ରିୟା ବିକାଶରେ ସାମିଲ ହୋଇଥିଲେ।

ଏସ ସୋମନାଥ ଜଣେ ଜଣାଶୁଣା ଏରୋସ୍ପେଶ୍ ଇଞ୍ଜିନିୟର ଏବଂ ରକେଟ୍ ବୈଜ୍ଞାନିକ। ତାଙ୍କର ପାରଦର୍ଶିତା ମଧ୍ୟରେ ଲଞ୍ଚ ଯାନର ଡିଜାଇନ୍, ପିରୋଟେକନିକ୍ସ, ଯାନ୍ତ୍ରିକ ଡିଜାଇନ୍ ଏବଂ ଷ୍ଟ୍ରକଚରାଲ୍ ଡିଜାଇନ୍ ଅନ୍ତର୍ଭୁକ୍ତ। ବର୍ତ୍ତମାନ, ସୋମନାଥ ବିକ୍ରମ ସାରଭାଇ ସ୍ପେଶ୍ ସେଣ୍ଟରର ନିର୍ଦ୍ଦେଶକ ରହିଛନ୍ତି। ସେ ପୂର୍ବରୁ ପୋଲାର ସାଟେଲାଇଟ୍ ଲଞ୍ଚ ଭେଇକିଲ୍‌ର ଏକୀକରଣରେ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ସେ ୧୯୬୩ ମସିହା ଜୁଲାଇ ମାସରେ ଜନ୍ମଗ୍ରହଣ କରିଥିଲେ।

ସୋମନାଥ ଏର୍ଣ୍ଣାକୁଲମର ମହାରାଜା କଲେଜରେ ପାଠ ପଢୁଥିଲେ ଏବଂ ତା’ପରେ କେରଳ ବିଶ୍ବବିଦ୍ୟାଳୟ ଅନ୍ତର୍ଗତ ଟିକେଏମ୍ କଲେଜ ଅଫ୍ ଇଞ୍ଜିନିୟରିଂରୁ ମେକାନିକାଲ୍ ଇଞ୍ଜିନିୟରିଂରେ ସ୍ନାତକ ହାସଲ କରିଥିଲେ। ଏହାପରେ ବାଙ୍ଗାଲୋରର ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସ ଅନୁଷ୍ଠାନରେ ଏରୋସ୍ପେଶ୍ ଇଞ୍ଜିନିୟରିଂରୁ ସେ ମାଷ୍ଟର ଡିଗ୍ରୀ ହାସଲ କରିଥିଲେ। ଏଠାରେ ସେ ଡାଇନାମିକ୍ସ ଓ କଣ୍ଟ୍ରୋଲରେ ବିଶେଷଜ୍ଞ ଥିଲେ।

ସେ ପ୍ରଥମେ ବିକ୍ରମ ସାରାଭାଇ ସ୍ପେଶ୍ ସେଣ୍ଟରରେ ୧୯୮୫ ମସିହାରେ ଯୋଗ ଦେଇଥିଲେ ଏବଂ ପରେ ଭିଏସ୍‌ଏସ୍‌ସିର ଆସୋସିଏଟ୍ ଡାଇରେକ୍ଟର (ପ୍ରୋଜେକ୍ଟ) ହୋଇଥିଲେ। ୨୦୧୦ ମସିହାରେ, ସେ ଜିଏସ୍‌ଏଲ୍‌ଭି ଏମ୍‌କେ-୩ ଲଞ୍ଚ ଯାନର ପ୍ରୋଜେକ୍ଟ ନିର୍ଦ୍ଦେଶକ ମଧ୍ୟ ଥିଲେ। ସେ ୨୦୧୪ ପର୍ଯ୍ୟନ୍ତ ପ୍ରୋପୁଲସନ୍ ଏବଂ ସ୍ପେଶ୍ ଅର୍ଡିନାନ୍ସ ଏଣ୍ଟିଟିର ଡେପୁଟି ନିର୍ଦ୍ଦେଶକ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ। ୨୦୧୫ରୁ ୨୦୧୮ ପର୍ଯ୍ୟନ୍ତ ସେ ଭାଲିଆମାଲାରେ ଲିକ୍ବିଡ୍ ପ୍ରୋପୁଲସନ୍ ସିଷ୍ଟମ୍ ସେଣ୍ଟରର ନିର୍ଦ୍ଦେଶକ ରହିଥିଲେ।