ସାଧାରଣତନ୍ତ୍ର ଦିବସ ପୂର୍ବରୁ ଦିଲ୍ଲୀରୁ ମିଳିଲା ଆଇଇଡି

ନୂଆଦିଲ୍ଲୀ,ଏଜେନ୍ସି: ସାଧାରଣତନ୍ତ୍ର ଦିବସ ପୂର୍ବରୁ ଦିଲ୍ଲୀରେ ଆତଙ୍କୀ କାର୍ଯ୍ୟକଳାପ। ଦିଲ୍ଲୀ ମାର୍କେଟରୁ ମିଳିଲା ଆଇଇଡି। ପୂର୍ବ ଦିଲ୍ଲୀ ଗାଜିପୁର ଅଞ୍ଚଳରୁ ସୁରକ୍ଷିତ ଭାବେ ବିସ୍ଫୋରକ ସାମଗ୍ରୀ ଜବତ କରିଛି ପୁଲିସ। ସୂଚନା ଅନୁଯାୟୀ, ଗାଜିପୁର ଫୁଲ ମାର୍କେଟରେ ଏକ ବ୍ୟାଗରେ ବନ୍ଧାହୋଇ ରହି ଥିବାବେଳେ ଆଇଇଡ଼ି ଜବତ କରାଯାଇଛି। ଜାତୀୟ ସୁରକ୍ଷା ଗାର୍ଡ ଏହାକୁ ଜବତ କରିଥିବା ଜଣାପଡିଛି। ଦିଲ୍ଲୀ ପୁଲିସ ଏନେଇ ବିସ୍ଫୋରକ ଆଇନ ଅଧୀନରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ଅଗ୍ନିଶମ ବାହିନୀ ବିଭାଗ ଅନୁସାରେ ଶୁକ୍ରବାର ସକାଳ ୧୧ ଟାରେ ଆଇଇଡ଼ି ଜବତ ହୋଇଥିବାବେଳେ ଦିନ ୧ଟା ୩୦ରେ ନିଷ୍କ୍ରିୟ କରାଯାଇଥିବା ନେଇ ଜାତୀୟ ସୁରକ୍ଷା ଗାର୍ଡ ପକ୍ଷରୁ ସୂଚନା ମିଳିଛି। ଅନ୍ୟପଟେ ଗାଜିପୁରରୁ ଆଇଇଡ଼ି ବିସ୍ଫୋରକ ପ୍ରସ୍ତୁତ ହେଉଥିବା କେମିକାଲ କମ୍ପାଉଣ୍ଡ୍ସ ଆମୋନିୟମ ନାଇଟ୍ରେଟ ଏବଂ ଆର୍‌ଡିଏକ୍ସକୁ ବୋମା ନିଷ୍କ୍ରିୟକାରୀ ସ୍କ୍ବାର୍ଡ ଏନ୍‌ଏସ୍‌ଜି ଜବତ କରିଛି। ତେବେ କିଏ ଏବଂ କେଉଁ କାରଣରୁ ବିସ୍ଫୋରକ ବ୍ୟାଗ ରଖିଥିଲା ସେନେଇ ଅଧିକ ତଦନ୍ତ ଜାରି ରହିଛି।