ବେଲପାହାଡ଼ରେ ଉଚ୍ଛେଦ ହେବ ରାସ୍ତକଡ଼ ଉଠା ଦୋକାନ

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ବେଲପାହାଡ଼ ପୌରପରିଷଦର ବିଭିନ୍ନ ରାସ୍ତାକଡ଼ରେ ଥିବା ଉଠା ଦେକାନଗୁଡିକୁ ଉଚ୍ଛେଦ କରାଯିବ। ଏଥିପାଇଁ ଉଠା ଦୋକାନୀମାନଙ୍କ ସହିତ ପୌରନିର୍ବାହୀ ଅଧିକାରୀଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଛି। ଗୁମାଡୋର ଉଠାଦୋକାନୀ ସଂଗଠନ ପକ୍ଷରୁ କୁହାଯାଇଛି ସେମାନଙ୍କୁ ଖଲଗୁଡ଼ାଠାରେ ନିର୍ମାଣ ହୋଇଥିବା ମାର୍କେଟ କଂପ୍ଲେକ୍ସକୁ ସ୍ଥାନାନ୍ତରିତ କରାଯାଉ। ହେଲେ ଏହି ସଂଗଠନର ୬୦ରୁ ଊର୍ଦ୍ଧ ଦୋକାନୀ ରହିଥିବାବେଳେ ପୌରପରିଷଦ ପକ୍ଷରୁ ସେଠାରେ କେବଳ ୩୪ଟି ଦୋକାନ ନିର୍ମାଣ କରାଯାଇଛି।

ତେଣୁ ଆବଶ୍ୟକ ସଂଖ୍ୟକ ଦୋକନ ନିର୍ମାଣ କରାଯାଉ। ସେହିପରି ସେଠାରେ ପାଣି, ଶୌଚାଳୟ, ରାସ୍ତା, ଲାଇଟ ଓ ସୁରକ୍ଷା ପାଇଁ ପାଚେରି ନିର୍ମାଣ କରିଯାଉ ବୋଲି ଉଠାଦୋକାନୀ ସଙ୍ଘପକ୍ଷରୁ ଦାବି କରାଯାଇଛି। ଅନ୍ୟପଟେ ପୌରନିର୍ବାହୀ ଅଧିକାରୀ ଲୋକନାଥ ତିୱାରୀ ସମସ୍ତ ଦୋକାନୀମାନଙ୍କର ବ୍ୟବସ୍ଥା କରିବା ସହିତ କେତେକ ଦୋକାନୀ ମାନେ ଖଲଗୁଡ଼ା ଓ ମହିଯୋରକୁ ଯାଇ ଦୋକାନ କରିପାରିବେ ବୋଲି କହିଥିଲେ। ତେବେ ସମସ୍ତ ଦୋକାନୀମାନଙ୍କୁ ଦୋକାନଘର ଯୋଗାଇଦେବା ବର୍ତ୍ତମାନ ସମ୍ଭବପର ନୁହେଁ। ତେଣୁ ଯେଉଁ ଦୋକାନୀମାନଙ୍କୁ ଦୋକାନ ଘର ମିଳି ପାରିବନି ସେମାନଙ୍କୁ ଜାଗା ଯୋଗାଇ ଦିଆଯିବ। ସେମାନେ ସେଠାରେ ଦୋକାନ ଲଗାଇ ପାରିବେ ବୋଲି କହିଥିଲେ।

ଏହା ସହିତ ରାସ୍ତାକଡ଼ରେ କେହି ପନିପିବା, ଫଳ ଓ ଚା’ ଜଳଖିଆ ବିକ୍ରି କରିପାରିବେ ନାହିଁ। ତେବେ ଗୁମାଡେରା ଉଠାଦୋକାନୀ ସଂଘ ମଧ୍ୟ ପ୍ରଶାସନର ନିଷ୍ପତି ଅନୁଯାୟୀ ରାସ୍ତା କଡ଼ରେ ଲାଗିଥିବା ଦୋକାନ ଗୁଡ଼ିକ ବନ୍ଦକରି ନିର୍ଦ୍ଦାରିତ ସ୍ଥାନରେ ଦୋକାନ କରିବାକୁ ରାଜି ହୋଇଛନ୍ତି। ଫଳରେ ଆସନ୍ତା ୨୬ ତାରିଖ ମଧ୍ୟରେ ଉଠା ଦୋକାନୀକୁ ନୂତନ ସ୍ଥାନକୁ ସ୍ଥାନାନ୍ତରୀତ କରାଯିବ ବୋଲି ପୌର ନିର୍ବାହୀ ଅଧିକାରୀ ଲୋକନାଥ ତିୱାରୀ ଜଣାଇଛନ୍ତି। ଏହି ଅବସରରେ ଗୁରୁଦେବ ପ୍ରଧାନଙ୍କ ସମେତ ପୌର ଅଧିକାରୀ ଓ ଗୁମାଡେରା ଉଠା ଦୋକାନୀ ସଂଘ ପକ୍ଷରୁ ସଭାପତି ବାଳକୃର୍ଷ୍ଣ ସ୍ୱାଇଁ, ଭରତ ପ୍ରସାଦ କୁଶବାହ, ସମ୍ପାଦକ ମାଧବ ଭଟ୍ଟାଚାର୍ଯ୍ୟ, ଯୁଗ୍ମ ସମ୍ପାଦକ ସଞ୍ଜୟ ପ୍ରଧାନ, ଯୋଗେନ୍ଦ୍ର ଗୁପ୍ତା, ପିଙ୍କୁ ସାହୁ, ଉଲାସ ଜେନା, ଗୟାଧର ପଣ୍ଡା ସମେତ ୬୦ ରୁ ଅଧିକ ଦୋକାନୀ ଉପସ୍ଥିତ ଥିଲେ।