କଡମ୍ବା ଛକରେ ବାଇକ୍ ଦୁର୍ଘଟଣା :୨ ମୃତ ୨ ଆହତ

ବ୍ରାହ୍ମଣୀଗାଁ, ଏନ୍ଏନ୍ଏସ୍ : କନ୍ଧମାଳ ଜିଲ୍ଲା, ବ୍ରାହ୍ମଣୀଗାଁ ଥାନା ଅଂଚଳର ଝିଂଜିରୀଗୁଡା ପଂଚାୟତର କଡମ୍ବା ଛକ ବୁଲାଣି ରେ ଦୁଇଟି ବାଇକ୍ ଦୁର୍ଘଟଣା ଗ୍ରସ୍ତ ହୋଇ ୨ମୃତ ଓ ୨ଆହତ ହୋଇଥିବା ଜଣାପଡିଛି । ଖବର ପାଇ ବ୍ରାହ୍ମଣୀଗାଁ ପୁଲିସ ଘଟଣାସ୍ଥଳରେ ପହଂଚି ଆହତମାନଙ୍କୁ ବ୍ରାହ୍ମଣୀଗାଁ ମେଡିକାଲରେ ପହଂଚାଇଥିଲେ କିନ୍ତୁ ମେଡିକାଲରେ ଦୁଇଜଣଙ୍କୁ ଡାକ୍ତର ପ୍ରମୋଦକୁମାର ଦୀପ୍ ମୃତ ଘୋଷଣା କରିଥିଲେ । ଅନ୍ୟ ଦୁଇଜଣ ଆହତଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ବ୍ରହ୍ମପୁର ବଡମେଡିକାଲକୁ ସ୍ଥାନାନ୍ତର କରିଥିବା ଜଣାପଡିଛି ।

ମୃତକ ମାନେ ହେଲେ ଗଜପତି ଜିଲ୍ଲା ଅଡବା ଥାନା ଅନ୍ତର୍ଗତ କଟାମା ପଂଚାୟତର ଡନିଙ୍ଗା ଗ୍ରାମର ଅର୍ଜୁନ ମନ୍ତ୍ରୀ (୧୮) ଏବଂ ବ୍ରାହ୍ମଣୀଗାଁ ଥାନା ଅଂଚଳର କୁମ୍ଭାରୀଗାଁ ପଂଚାୟତର ରାଜନଗଡ ଗ୍ରାମର ପାଉଲ ଶବର (୩୦) ,ଆହତ ମାନେ ହେଲେ ଗଜପତି ଜିଲ୍ଲା ଅଡବା ଥାନା ଅଂଚଳର ଡନିଙ୍ଗା ଗ୍ରାମର ନରେନ୍ଦ୍ର ନାୟକ (୧୭) ଏବଂ ବ୍ରାହ୍ମଣୀଗାଁ ଥାନା ଅଂଚଳର ଗୋବେରକୁଟୀ ଗ୍ରାମର ଶିମାଂଚଳ ନାୟକ (୪୦) ବୋଲି ପୋଲିସ୍ ସୂତ୍ରରୁ ଜଣାପଡିଛି । ସୂଚନାନୁଯାଇ ଡନିଙ୍ଗା ଗ୍ରମର ଅର୍ଜୁନ ଓ ନରେନ୍ଦ୍ର ବ୍ରାହ୍ମଣିଗାଁ ଋଷିମାଳ ମହା ବିଦ୍ୟାଳୟରେ ଯୁକ୍ତ ଦୁଇରେ ଅଧ୍ୟୟନ କରୁଛନ୍ତି । ସେମାନେ କଲେଜ ସାରି ଫେରୁଥିବା ବେଳେ କଡମ୍ବା ଛକ ବୁଲାଣିରେ ବିପରିତ ଦିଗରୁ ଏକ ବାଇକ ଆସି ଧକ୍କାଦେବା ଫଳରେ ଦୁର୍ଘଟଣାର ଶିକାର ହୋଇଥିଲେ ।

ଆହତ ଅବସ୍ଥାରେ ଚାରିଜଣ ଆହତଙ୍କୁ ଘଟଣାସ୍ଥଳରୁ ବ୍ରାହ୍ମଣୀଗାଁ ପୁଲିସ ଉଦ୍ଧାର କରି ମେଡିକାଲରେ ପହଂଚାଇଥିଲେ କିନ୍ତୁ ମେଡିକାଲରେ ଡାକ୍ତର ଅର୍ଜୁନ,ଓ ପାଉଲଙ୍କୁ ମୃତ ଘୋଷଣା କରିଥିଲେ । ଏହି ଖବର ପାଇ ମୃତକଙ୍କ ପରିବାର ସମ୍ପର୍କୀୟ ଓ ଅଂଚଳବାସୀ ମେଡିକାଲରେ ପହଂଚି ଶୋକର ଛାୟା ଖେଳିଯାଇଛି । ବ୍ରାହ୍ମଣୀଗାଁ ସରପଂଚ ରମେଶମାଝୀ ଓ କୁମ୍ଭାରୀଗାଁ ସରପଂଚ ସୁନାରସିଂମାଝୀ ଓ କଟାମା ନାଏବ୍ ସରପଂଚ ଶୁଭମନ୍ତ୍ରୀ ମେଡିକାଲରେ ପହଂଚି ଶୋକାକୁଳ ପରିବେଶରେ ସମବେଦନା ଜଣେଇଛନ୍ତି । ବ୍ରାହ୍ମଣୀଗାଁ ଥାନା ଏ.ଏସ୍.ଆଇ ପ୍ରମୋଦ କୁମାର ଦୀପ୍ ଘଟଣା ର ତଦନ୍ତ ଭାର ନେଇଥିବା ବେଳେ ଶବ ବ୍ୟବଚ୍ଛେଦ ପରେ ମୃତକଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିବା ଏସ୍.ଆଇ ସଂଗ୍ରମ କେଶରୀ ଜେନା ସୂଚନା ଦେଇଛନ୍ତି ।