କରଞ୍ଜିଆ,ଏନ୍ଏନ୍ଏସ୍: ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା–କରଞ୍ଜିଆ ରାସ୍ତା ଅନ୍ତର୍ଗତ ଚାଇଁବାଇସି ଗାଁ ପେଟ୍ରୋଲ ପମ୍ପ ନିକଟରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଆଜି ଭୋର ସମୟରେ ଏକ କୁକୁଡ଼ା ବୋଝେଇ ପିକଅପ୍ ଭ୍ୟାନ୍ କରଞ୍ଜିଆ ପଟୁ ଠାକୁରମୁଣ୍ଡାକୁ ଆସୁଥିବା ବେଳେ ଭାରସାମ୍ୟ ହରାଇ ଏକ ଶାଳ ଗଛରେ ଧକ୍କା ହୋଇଥିଲା।
ଦୁର୍ଘଟଣା ଏତେ ଜୋର ଥିଲା ଯେ ଗାଡି ଇଞ୍ଜିନଟି ଗଛରେ ପିଟିହୋଇ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ବେଳେ ଡ୍ରାଇଭର ଘଟଣାସ୍ଥଳରେ ଚାପି ହୋଇ ମୃତ୍ୟୁବରଣ କରିଛି। ଅନ୍ୟ ଜଣେ ଗୁରୁତର ଆହତ ହୋଇ ଠାକୁରମୁଣ୍ଡା ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି।
ଘଟଣାସ୍ଥଳରେ ପିକଅପ ଡ୍ରାଇଭର ବିଜୟ ଲୋହାରଙ୍କ ମୃତ୍ୟୁ ହୋଇଥିବା ବେଳେ ବର୍ତ୍ତମାନ ବି ଗାଡିରେ ଚାପିହୋଇ ରହିଛି ମୃତ୍ୟୁଦେହ। ଅନ୍ୟପଟେ ଖବରପାଇ ଠାକୁରମୁଣ୍ଡା ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ସହିତ ଶବକୁ ଉଦ୍ଧାର କରିବା ପାଇଁ ଚେଷ୍ଟା ଚଳାଇଛି। ସେହିପରି ଗୁରୁତର ଆହତ ପାଣୁଙ୍କୁ ଠାକୁରମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ କଟକ ସ୍ଥାନାନ୍ତର ପାଇଁ ଡାକ୍ତର ପରାମର୍ଶ ଦେଇଛନ୍ତି।