ଅଧରାତିରେ ଦୁର୍ଘଟଣା, ଦୁଇ ଗୁରୁତର

ଭୁବନେଶ୍ୱର,ଏନ୍ଏନ୍ଏସ୍ : ଅଧରାତିରେ ରାଜଧାନୀ ଭୁବନେଶ୍ୱରରେ ଦୁଇଟି ସାଂଘାତିକ ଦୁର୍ଘଟଣା ଘଟିଛି। ଦୁଇଟି ଯାକ ଦୁର୍ଘଟଣାରେ ଗାଡି ଚାଳକ ଗୁରୁତର ଆହତ ହୋଇଛନ୍ତି। ପୁଲିସ ଅଗ୍ନିଶମ ବାହିନୀର ସହାୟତାରେ ସେମାନଙ୍କୁ ଉଦ୍ଧାର କରି ହସପିଟାଲରେ ଭର୍ତି କରିଛି। ଆହତଙ୍କ ପରିଚୟ ମିଳିପାରିନଥିବା ବେଳେ ପୁଲିସ ଘଟଣାର ତଦନ୍ତ କରୁଛି।

ସୂଚନା ଅନୁସାରେ, ମଙ୍ଗଳବାର ରାତି ପ୍ରାୟ ସାଢେ ୧୨ଟା ବେଳେ ଏକ ମାଛ ବୋଝେଇ ଟ୍ରକ କଟକରୁ ଭୁବନେଶ୍ୱର ଆଡକୁ ଯାଉଥିଲା। ସପ୍ତସତି ମନ୍ଦିର ପାଖାପାଖି ଏକ ହାଇୱାକୁ ଓଭରଟେକ କରୁଥିବା ବେଳେ ତାକୁ ପଛରୁ ଧକ୍କା ଦେଇ ଡାହାଣକୁ ମାଡି ଯାଇଥିଲା। ଫଳରେ ସେଠାରେ ଥିବା ଓଭରବ୍ରିଜରେ ପିଟି ହୋଇ ପୁରୀ ବାଇପାସ ରୋଡ ଆଡକୁ ମାଡି ଯାଇଥିଲା। ଫଳରେ ଟ୍ରକର ସମ୍ମୁଖ ଭାଗ ଭାଙ୍ଗିରୁଜି ଯିବା ସହ ଚାଳକ ଗୁରୁତର ଆହତ ହୋଇଥିଲା। ଏପରିକି ଚାଳକ ଜଣ ଗାଡିରେ ଚାପି ହୋଇ ରହିଯାଇଥିଲା। ରାସ୍ତାରେ ଯାଉଥିବା ଜଣେ ଲୋକେ ଦେଖି ପୁଲିସକୁ ଖବର ଦେଇଥିଲେ। ମଂଚେଶ୍ୱର ଥାନା ପୁଲିସ ଘଟଣାସ୍ଥଳରେ ପହଂଚି ଆହତଙ୍କୁ ଉଦ୍ଧାର କରିବାକୁ ଚେଷ୍ଠା କରିଥିଲା। ବିଫଳ ହେବା ପରେ ଅଗ୍ନିଶମ ବାହିନୀର ସହାୟତା ଲୋଡିଥିଲା। ପରେ ଗ୍ୟାସ କଟର ସହାୟତାରେ ଗାଡିକୁ କାଟି ତାଙ୍କୁ ଉଦ୍ଧାର କରାଯାଇ ହସପିଟାଲରେ ଭର୍ତି କରାଯାଇଛି। ଡ୍ରାଇଭରର ଅବସ୍ଥା ସଙ୍କଟାପନ୍ନ ଥିବା ଜଣାପଡିଛି।

ସେହିପରି ଏହି ଘଟଣାର ମାତ୍ର କେଇମିନିଟ ପୂର୍ବରୁ ବାଣୀବିହାର ଛକରେ ଏକ କ୍ୟାଟଂର ଓ ହାଇୱା ମଧ୍ୟରେ ଧକ୍କା ହୋଇଥିଲା। କ୍ୟାଂଟରଟି ରୂପାଲି ପଟୁ ବାଣୀବିହାର ଛକ ଆଡକୁ ଆସୁଥିଲା। ଏହି ସମୟରେ ଏକ ହାଇୱା ରସୁଲଗଡ ପଟୁ ଆଚାର୍ଯ୍ୟବିହାର ଆଡକୁ ଯାଉଥିବା ବେଳେ ଭାରସାମ୍ୟ ହରାଇ କ୍ୟାଟଂରକୁ ଧକ୍କା ଦେଇଥିଲା। ଫଳରେ କ୍ୟାଟଂର ସମ୍ମୁଖ ଭାଗ ଭାଙ୍ଗି ଯିବା ସହ ଚାଳକ ଚାପି ହୋଇ ରହିଯାଇଥିଲେ। ଶହୀଦନଗର ପୁଲିସ ଓ ଦମକଳବାହିନୀ ପହଂଚି ତାଙ୍କୁ ଉଦ୍ଧାର କରିଥିଲେ। ଦୁଇଟି ଯାକ ଘଟଣାରେ ପୁଲିିସ ଗାଡିକୁ ଜବତ କରି ତଦନ୍ତ କରୁଛି।