ଦେବଗଡ଼,ଏନ୍ଏନ୍ଏସ୍ : ରିଆମାଳ ଥାନା ଅନ୍ତର୍ଗତ ରତନପୁର ଗ୍ରାମ ନିକଟସ୍ଥ ୫୩ ନମ୍ବର ଜାତୀୟ ରାଜପଥରେ ଏକ ବାଇକ ଦୁର୍ଘଟଣାରେ ରିଆମାଳ ବ୍ଲକ ଯୁବ ବିଜେଡି ସଭାପତି ଆଲୋକ କୁମାର ପ୍ରଧାନ (୨୪) ଗୁରୁତର ହୋଇଥିବା ଜଣାପଡ଼ିଛି। ମିଳିଥିବା ରିପୋର୍ଟ ମୁତାବିକ, ଆଜି ପୂର୍ବାହ୍ନ ପ୍ରାୟ ୧୦ଟା ସମୟରେ ଆଲୋକ ଦଳୀୟ କାର୍ୟ୍ୟରେ ରିଆମାଳରୁ ଦେବଗଡ଼ ଅଭିମୁଖେ ଆସୁଥିବାବେଳେ ରତନପୁର ଗ୍ରାମ ନିକଟ ଦେଇ ଯାଇଥିବା ୫୩ ନମ୍ବର ଜାତୀୟ ରାଜପଥ ଉପରେ ଭାରସାମ୍ୟ ହରାଇ ପୂର୍ବରୁ ଛିଡ଼ା ହୋଇଥିବା ଏକ ଅଚଳ ଟ୍ରକକୁ ପଛ ପଟୁ ଧକ୍କା ଦେଇଥିଲେ। ଫଳରେ ଆଲୋକ ରାସ୍ତା ଉପରେ ଛିଟିକି ପଡ଼ିଥିଲେ। ପରେ କେତେକ ବାଟୋଇ ଏହା ଦେଖି ଗୁରୁତର ଅବସ୍ଥାରେ ଆଲୋକଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଅବସ୍ଥା ଗୁରୁତର ଥିବାରୁ ଡାକ୍ତର ଅଧିକ ଚିକିତ୍ସା ପାଇଁ ତାଙ୍କୁ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତର କରିଥିବା ଜଣାପଡ଼ିଛି।