ସୁଶାନ୍ତଙ୍କ ଆତ୍ମହତ୍ୟା ମାମଲା; ସୁପ୍ରିମକୋର୍ଟରେ ରିୟାଙ୍କ ଆବେଦନ

ମୁମ୍ବାଇ,ଏଜେନ୍ସି: ବଲିଉଡ୍ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ମାମଲା ସମ୍ବନ୍ଧରେ ସୁପ୍ରିମକୋର୍ଟରେ ପହଞ୍ଚିଛନ୍ତି ଗାର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀ। ସୁଶାନ୍ତଙ୍କ ହୋମଟାଉନ ବିହାରରେ ଚାଲିଥିବା ତାଙ୍କ ଆତ୍ମହତ୍ୟା ମାମଲାର ତଦନ୍ତକୁ ମୁମ୍ବାଇ ସ୍ଥାନାନ୍ତର କରିବାକୁ ସୁପ୍ରିମକୋର୍ଟରେ ରିୟା ଆବେଦନ କରିଛନ୍ତି ବୋଲି ତାଙ୍କ ଓକିଲ ସତୀଶ ମାନସିନ୍ଦେ ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ ଯେ ମଙ୍ଗଳବାର ଦିନ ସୁଶାନ୍ତଙ୍କ ପିତା କେକେ ସିଂ, ରିୟା ଚକ୍ରବର୍ତ୍ତୀ ଏବଂ ତାଙ୍କ ପରିବାର ବିରୋଧରେ ପାଟନା ସ୍ଥିତ ରାଜୀବନଗର ଥାନାରେ ମାମଲା ରୁଜୁ କରିଥିଲେ। ବର୍ତ୍ତମାନ ବିହାର ପୁଲିସ ଏହି ମାମଲାର ଯାଞ୍ଚ ପାଇଁ ମୁମ୍ବାଇରେ ପହଞ୍ଚିଛି। ଆତ୍ମହତ୍ୟା ମାମଲାର ତଦନ୍ତ ପୂର୍ବରୁ ମୁମ୍ବାଇରେ ଚାଲୁଛି, ତେଣୁ ବିହାରରୁ ଏହି ମାମଲାର ତଦନ୍ତକୁ ମୁମ୍ବାଇ ସ୍ଥାନାନ୍ତର କରିବାକୁ ସୁପ୍ରିମକୋର୍ଟରେ ଆବେଦନ କରାଯାଇଛି। ତେବେ ଏକା ସମୟରେ ଗୋଟିଏ ମାମଲାର ତଦନ୍ତ ଦୁଇଟି ରାଜ୍ୟର ପୁଲିସଙ୍କ ଦ୍ୱାରା କରାଯିବା ବେନିୟମ ବୋଲି ରିୟାଙ୍କ ଓକିଲ କହିଛନ୍ତି।