ବାହୁବଳୀ ଫିଲ୍ମ ନିର୍ମାତା ଏସ୍ ଏସ୍ ରାଜମଉଲି ଓ ତାଙ୍କ ପରିବାର ଲୋକେ କରୋନା ପଜିଟିଭ ଚିହ୍ନଟ

ନୂଆଦିଲ୍ଲୀ,ଏଜେନ୍ସି: ବାହୁବଳୀ ଫିଲ୍ମ ନିର୍ମାତା ତଥା ଖ୍ୟାତନାମା ତେଲୁଗୁ ଚଳଚ୍ଚିତ୍ର ନିର୍ଦ୍ଦେଶକ ଏସ୍ ଏସ୍ ରାଜମଉଲି ଓ ତାଙ୍କ ପରିବାର ଲୋକେ କରୋନା ପଜିଟିଭ ଚିହ୍ନଟ ହୋଇଥିବା ଜଣାପଡ଼ିଛି। ଏନେଇ ସେ ନିଜେ ଟ୍ୱିଟ କରି ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ “ମୋର ପରିବାର ସଦସ୍ୟ ଏବଂ ମୁଁ କିଛି ଦିନ ପୂର୍ବରୁ ସାମାନ୍ୟ ଜ୍ୱରରେ ଆକ୍ରାନ୍ତ ହୋଇଥିଲୁ। ତେବେ ଜ୍ୱର ନିଜେ ହ୍ରାସ ପାଇଥିଲେ ହେଁ ସୁରକ୍ଷା ଦୃଷ୍ଟିରୁ ଆମେ ସମସ୍ତେ କୋଭିଡ-୧୯ ପରୀକ୍ଷା କରାଇଥିଲୁ। ତେବେ ରିପୋର୍ଟରେ ସାମାନ୍ୟ କୋଭିଡ ପଜିଟିଭ ଥିବାରୁ ଡାକ୍ତରଙ୍କ ପରାମର୍ଶ କ୍ରମେ ଆମେ ସମସ୍ତେ ହୋମ କ୍ୱାରେଣ୍ଟାଇନରେ ରହିଛୁ। ସେହିପରି ବର୍ତ୍ତମାନ ସୁଦ୍ଧା ଆମ ମାନଙ୍କଠାରେ କୌଣସି କରୋନା ଜନିତ ଲକ୍ଷଣ ଦେଖାଦେଇ ନଥିଲେ ବି ସମସ୍ତ ସତର୍କତା ଏବଂ ନିର୍ଦ୍ଦେଶାବଳୀ ଅନୁସରଣ କରୁଛୁ। ଏଥିସହ ଆମେ ସମ୍ପୂର୍ଣ୍ଣ ସୁସ୍ଥ ଅନୁଭବ କଲେ ପ୍ଲାଜମା ଦାନ କରିବୁ ବୋଲି କହିଛନ୍ତି।”