କୁଆଁପାଳ,ଏନ୍ଏନ୍ଏସ୍: ମାହାଙ୍ଗା ତହସିଲ ଅନ୍ତର୍ଗତ ବିଭିନ୍ନ ଆରଆଇ କାର୍ଯ୍ୟାଳୟ ଅଧୀନରେ ଥିବା ରାଜସ୍ୱ ଗ୍ରାମ ଗୁଡିକରେ ବେଆଇନ ମାଟି ଓ ବାଲି ମାଫିଆଙ୍କ ପାର୍ଦୁଭାବ ବଢୁଥିଲା ବେଳେ ତହସିଲ ପ୍ରଶାସନ ନୀରବ ଦ୍ରଷ୍ଟା ପାଲଟିଛି। ବିରୂପା ଗେଙ୍ଗୁଟି ନଦୀର ସୌରାତ ଗୁଡିକରୁ ବିନା ନିଲାମରେ ବାଲି ଚାଲାଣ ହେଉଥିବା ବାରମ୍ବାର ଗଣମାଧ୍ୟମରେ ଖବର ପ୍ରସାରଣ ହେଉଥିଲା। ଏଥିସହିତ ଅଳ୍ପଦିନ ତଳେ କୋଳିଅଠା ଆରଆଇଙ୍କୁ ମାଟି ମାଫିଆ ଆକ୍ରମଣ କରିଥିଲେ। ଆଜି ମାହାଙ୍ଗା ଆରଆଇଙ୍କୁ ବାଲି ମାଫିଆମାନେ ଆକ୍ରମଣ କରି ଲହୁଲୁହାଣ କରିଛନ୍ତି।
କଟକ ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶ ପରେ ମାହାଙ୍ଗା ଅଞ୍ଚଳରେ ରାଜସ୍ୱ ବିଭାଗର ଅଧିକାରୀଙ୍କୁ ନେଇ ଏକ ସ୍କାଡ୍ ଗଠନ କରାଯାଇଥିଲା। ଏହି ସ୍କ୍ୱାଡ୍ ପକ୍ଷରୁ ବିଭିନ୍ନ ସ୍ଥାନରେ ଲଘୁ ଖଣିଜ ସାମଗ୍ରୀ ଲୁଟେରାଙ୍କ ଉପରେ ନଜର ରଖାଯାଇଥିଲା। ବିଭିନ୍ନ ସ୍ଥାନରେ ବାରମ୍ବାର ଚଢ଼ଉ ହେବାରୁ ମାଫିଆମାନଙ୍କ ଟାର୍ଗେଟରେ ଥିଲେ ରାଜସ୍ୱ କର୍ମଚାରୀ। ଶନିବାର ପୂର୍ବାହ୍ଣରେ ବିରୂପା ନଦୀର ରାମଚନ୍ଦ୍ରପୁର ଚାୟାପାଳ ନିକଟରେ ବେଆଇନ ବାଲି ଉଠାଣ ନେଇ ଖବର ମିଳିଥିଲା। ଏହାକୁ ନେଇ ଏହି ସ୍କ୍ୱାଡ୍ ପକ୍ଷରୁ ଅଚାନକ ଚଢ଼ଉ କରାଯାଇଥିଲା। ଘଟଣାସ୍ଥଳରୁ ଏକ ବାଲି ବୋଝେଇ ଟ୍ରାକ୍ଟରକୁ ମଧ୍ୟ ଜବତ କରାଯାଇଥିଲା।
ବାଲି ମାଫିଆମାନେ ସଂଘବଦ୍ଧ ହୋଇ ସ୍ପଷ୍ଟ ଦିବା ଲୋକରେ ରାଜସ୍ୱ ନିରୀକ୍ଷକ ଗଣେଶ୍ୱର ହେମ୍ବ୍ରମଙ୍କୁ ଆକ୍ରମଣ କରି ତାଙ୍କ ସହିତ ଯାଉଥିବା ତହସିଲ କର୍ମଚାରୀଙ୍କୁ ଧମକ ଚମକ ଦେଇ ଜବତ ବାଲି ଗାଡିକୁ ଛଡାଇ ନେଇଥିଲେ। ପୁଲିସ ଘଟଣାସ୍ଥଳରୁ ଆକ୍ରମଣର ଶିକାର ହୋଇଥିବା ଆରଆଇଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଛି। ଆରଆଇଙ୍କ ମୁଣ୍ଡକୁ ଆକ୍ରମଣ ହୋଇଥିବାରୁ ସେ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି। ଏ ନେଇ ମାହାଙ୍ଗା ଥାନାରେ ଏତଲା ଦେବା ସହିତ ଅପରାଧୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି।