ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୭୫୦ ମେଗାୱାଟର ରେବା ସୌର ପ୍ରକଳ୍ପ ଲଞ୍ଚ କରିଛନ୍ତି। ମଧ୍ୟପ୍ରଦେଶର ରିୱାରେ ସ୍ଥାପିତ କରାଯାଇଥିବା ଏହି ପ୍ରକଳ୍ପ ରାଜ୍ୟର ଏମିତି ଏକ ନବୀକରଣ ପ୍ରୋଜେକ୍ଟ ଯାହାକି ରାଜ୍ୟ ବାହାରର କୌଣସି ସଂସ୍ଥାର ଗ୍ରାହକକୁ ବିଜୁଳି ପ୍ରଦାନ କରିପାରିବ। ଏହି ପ୍ରୋଜେକ୍ଟ ଦ୍ୱାରା ଯେଉଁ ବିଜୁଳି ଶକ୍ତି ଉତ୍ପନ୍ନ ହେବ ସେଥିରୁ ୨୪ ପ୍ରତିଶତ ଦିଲ୍ଲୀ ମେଟ୍ରୋକୁ ଦିଆଯିବ। ଅନ୍ୟପଟେ ବାକି ୭୬ ପ୍ରତିଶତ ମଧ୍ୟପ୍ରଦେଶର ବିଜୁଳି ବିତରଣ କମ୍ପାନୀକୁ ଦିଆଯିବ ବୋଲି ସୂଚନା ମିଳିଛି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫ୍ରେନ୍ସିଂ ଜରିଆରେ ଏହି ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ପଧାନମନ୍ତ୍ରୀ କହିଛନ୍ତି କି, ‘ଆଜି ରେବା ଇତିହାସ ରଚି ଭାରତର ସବୁଠୁ ବଡ଼ ସୌର ପ୍ରକଳ୍ପର ନାଁ ନିଜ ସହ ଯୋଡ଼ି ଦେଇଛି। ଏଥିସହିତ ବିଶ୍ୱର ସବୁଠୁ ଅଧିକ ସୌର ଶକ୍ତି ଉତ୍ପନ୍ନ କରୁଥିବା ୫ଟି ଦେଶ ମଧ୍ୟରେ ଭାରତ ସ୍ଥାନ ପାଇପାରିଛି।’
ସୂଚନାଯୋଗ୍ୟ, ଭାରତ ୨୦୨୨ ସୁଦ୍ଧା ୧୭୫ ଜିଗାବାଇଟ ନୂତନ ଶକ୍ତି ଉତ୍ପନ୍ନ କରିବା ପାଇଁ ଲକ୍ଷ୍ୟ ରଖିଥିବାବେଳେ ରେବା ପ୍ରକଳ୍ପ ଏହି ଦିଗରେ ନିଆଯାଇଥିବା ଏକ ବଡ଼ ପଦକ୍ଷେପ ।