ବୁର୍ଜୁଗୁଡ଼ାର ଏକ କମାରଶାଳରୁ ଦେଶୀ ବନ୍ଧୁକ ସାମଗ୍ରୀ ଜବତ, ୨ ଗିରଫ

ମୁନିଗୁଡ଼ା,ଏନ୍ଏନ୍ଏସ୍: ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ଥାନା ଅନ୍ତର୍ଗତ ବୁର୍ଜୁଗୁଡ଼ାଠାରେ ଥିବା ଏକ କମାରଶାଳରୁ ବେଆଇନ ଭାବେ ମହଜୁଦ ଥିବା ଦେଶୀ ବନ୍ଧୁକ ତିଆରି ସାମଗ୍ରୀ ଜବତ କରିବା ସହ ପୁଲିସ ୨ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯକ୍ତ ଦ୍ୱୟ ହେଲେ ଗୌରାଙ୍ଗ କରକରିଆ (୬୦) ଓ ହାତିରାମ କୁଲେସିକା (୬୧)। ଗତକାଲି ମୁନିଗୁଡ଼ା ପୁଲିସ ଏକ କମାରଶାଳରେ ବେଆଇନ ଭାବେ ଦେଶୀ ବନ୍ଧୁକ ତିଆରି ହେଉଥିବା ଖବର ପାଇଥଲା। ଖବରକୁ ଆଧାର କରି ଥାନାଧିକାରୀ ରାଜେନ୍ଦ୍ର ଦେହୁରୀଙ୍କ ନିର୍ଦ୍ଦେଶକ୍ରମେ ଅପରାହ୍ନ ୪ଟା ସମୟରେ ଏସଆଇ ଅଶୋକ କୁମାର ବିଶୋଇ, ହାବିଲଦାର ଶ୍ରୀନିବାସ ଦଳାଇ, କନଷ୍ଟେବଳ ନିରଞ୍ଜନ ଦାସ ଓ ରବୀନ୍ଦ୍ର ବିଡ଼ିକା ପ୍ରମୁଖ ବୁର୍ଜୁଗୁଡ଼ା ଗ୍ରାମରେ ପହଞ୍ଚି ସେଠାରେ ଥିବା କମାରଶାଳରୁ ବେଆଇନ ଭାବେ ତିଆରି ହେଉଥିବା ଦେଶୀ ବନ୍ଧୁକର ଲୁହା ରଡ଼, ଲୁହା ପାଇପ, ହାତୁଡି, ଚୁଲି ସହ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଥିଲା। ପରେ ଅଭିଯୁକ୍ତଙ୍କ ନାମରେ ଏକ ମାମଲା ରୁଜୁ କରି ଏମାନେ କାହିିଁକି ଦେଶୀ ବନ୍ଧୁକ ତିଆରି କରୁଥିଲେ ଏବଂ ଏଥିରେ କାହାର ସମ୍ପୃକ୍ତି ରହିଛି ସେନେଇ ଅଧିକ ତଦନ୍ତ ଜାରି ରଖିଥିବା ଥାନାଧିକାରୀ ଶ୍ରୀ ଦେହୁରୀ ସୂଚନା ଦେଇଛନ୍ତି ।