କନ୍ଧମାଳ,ଏନ୍ଏନ୍ଏସ୍: ଫୁଲବାଣୀ ବ୍ଲକ ଅଞ୍ଚଳ ଦେଇ ସାଲୁଙ୍କି ନଦୀ ପ୍ରବାହିତ ହେଉଛି । ସାଲୁଙ୍କି ନଦୀର ବିଭିନ୍ନ ଘାଟରୁ ଶତାଧିକ ଟ୍ରିପ ବାଲି ବିଭିନ୍ନ ସ୍ଥାନକୁ ଚୋରାରେ ଚାଲାଣ ହେଉଥିବା ଅଭିଯୋଗ ହେଉଛି । ଫଳରେ ନଦୀ ପାର୍ଶ୍ୱବର୍ତ୍ତୀ ରାସ୍ତା ନଷ୍ଟ ହେବାସହ ଏହା ସର୍ବସାଧାରଣଙ୍କ ଗମନାଗମନ କ୍ଷେତ୍ରରେ ସମସ୍ୟା ସୃଷ୍ଟି କରୁଛି । ଫୁଲବାଣୀ ବ୍ଲକ ଅଧୀନ ଗଞ୍ଜୁଗୁଡ଼ା ପଞ୍ଚାୟତର ଡାହାପପଦର, ହାତୀଗୋବା ଓ ବିଶିପଡ଼ା ପଞ୍ଚାୟତର କୁମୁରିଗୁଡ଼ା ଘାଟରୁ ବ୍ୟାପକ ମାତ୍ରାରେ ଚୋରାରେ ବାଲି ଉଠାଣ ହେଉଛି । ଫଳରେ ବିଶିପଡ଼ା ଶଙ୍ଖଠାରୁ ଭୟା ଡାହାପଦର , ହାତୀଗୋବ, ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ବଇଡ଼ା ଦେଇ ଜାତୀୟ ରାଜପଥ ୧୫୭କୁ ସଂଯୋଗ କରୁଥିବା ରାସ୍ତା ସମ୍ପୂର୍ଣ୍ଣ ନଷ୍ଟ ହେବାସହ କାଦୁଅ ଓ ଖାଲଖମା ହୋଇଛି । ଏହି ରାସ୍ତାର ଉନ୍ନତିକରଣ ନିମନ୍ତେ ପ୍ରତିବର୍ଷ ପଞ୍ଚାୟତରାଜ ବିଭାଗ ପକ୍ଷରୁ ଲକ୍ଷାଧିକ ଟଙ୍କା ବ୍ୟୟ ହେଉଛି । ହେଲେ ତାହା କିଛି କାମରେ ଆସୁନାହିଁ । ବ୍ୟାପକ ଭାବେ ବାଲି ଚାଲାଣ ଯୋଗୁ ରାସ୍ତାରେ ଖର୍ଚ୍ଚ ହେଉଥିବା ଲକ୍ଷାଧିକ ଟଙ୍କା ପାଣିରେ ପଡୁଛି । ଏନେଇ ଫୁଲବାଣୀ ତହସିଲଦାର ଦିନମଣୀ ନାୟକଙ୍କୁ ପଚାରିବାରୁ ଏହି ଘାଟର ନିଲାମ ହୋଇଛି । ନିଲାମ ପୂର୍ବରୁ ଘାଟ ପରିବେଶ ମଞ୍ଜୁରୀ ମୋ ନାଁରେ ଥିଲା । ନିଲାମ ପରେ ନିଲାମଧାରୀଙ୍କ ନାଁରେ ପରିବେଶ ମଞ୍ଜୁରୀ କରାଗଲା । ଏହାର ଅବଧି ସରି ଯାଇଛି । ତହସିଲରେ ଆବଶ୍ୟକ ସଂଖ୍ୟକ କର୍ମଚାରୀ ନଥିବାରୁ ଚଢ଼ଉ କରିବାରେ ସମସ୍ୟା ହେଉଛି । ଏହାର ସୁଯୋଗ ନେଇ ବାଲି ମାଫିଆମାନେ ବେଫିକର ଭାବେ ଦିନ ଓ ରାତିରେ ନଦୀ ପଠାରୁ ବାଲି ଉଠାଣ କରି ଉକ୍ତ ରାସ୍ତାରେ ବିଭିନ୍ନ ସ୍ଥାନକୁ ଚାଲାଣ କରୁଥିବା ଜଣାପଡ଼ିଛି । ଏଥିପ୍ରତି ଫୁଲବାଣୀ ତଥା ଖଣ୍ଡମାଳ ତହସିଲ ଓ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାକୁ ସାଧାରଣରେ ଦାବୀ ହେଉଛି ।