ହସ୍ପିଟାଲରୁ ଫେରିଲେ ଧର୍ମେନ୍ଦ୍ର

ଭୁବନେଶ୍ୱର, ଏନ୍ଏନ୍ଏସ୍ : ଡେଙ୍ଗୁରୁ ଆରୋଗ୍ୟଲାଭ ପରେ ହିନ୍ଦୁଜା ହସ୍ପିଟାଲରୁ ଘରକୁ ଫେରିଛନ୍ତି ବରିଷ୍ଠ ବଲିଉଡ୍ ଅଭିନେତା ଧର୍ମେନ୍ଦ୍ର। ଡେଙ୍ଗୁରେ ଆକ୍ରାନ୍ତ ହୋଇ ନିକଟରେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ସେ। ଏହାରି ମଧ୍ୟରେ ସେ ସୁସ୍ଥ ହୋଇଛନ୍ତି ଓ ଡାକ୍ତର ତାଙ୍କୁ ହସ୍ପିଟାଲରୁ ଘରକୁ ଯାଇ ଆରାମ କରିବାକୁ ପରାମର୍ଶ ଦେଇଛନ୍ତି। ଧର୍ମେନ୍ଦ୍ରଙ୍କ ଦୁଇ ପୁଅ ସନ୍ନି ଓ ବବି ଦେଓଲ ତାଙ୍କୁ ଘରକୁ ନେଇଆସିଛନ୍ତି। କିଛି ଦିନ ତଳେ ନାତି କରନଙ୍କ ଡେବ୍ୟୁ ଫିଲ୍ମ ‘ପଲ୍ ପଲ୍ ଦିଲକେ ପାସ୍’ର ଟ୍ରେଲର୍ ଲଞ୍ଚ୍ ଅବସରରେ ନଜର ଆସିଥିଲେ ଧର୍ମେନ୍ଦ୍ର।

ସାମାଜିକ ଗଣମାଧ୍ୟମରେ ବେଶ୍ ସକ୍ରିୟ ଧର୍ମେନ୍ଦ୍ର ନିଜ ବ୍ୟକ୍ତିଗତ ଜୀବନର ଅନେକ ଭିଡିଓ ପ୍ରଶଂସକଙ୍କ ଗହଣରେ ସେୟାର୍ କରନ୍ତି। ପ୍ରଶଂସକ ମଧ୍ୟ ତାଙ୍କ ଭିଡିଓକୁ ବେଶ୍ ଲାଇକ୍ କରିଥାନ୍ତି। ବଲିଉଡ୍ର ‘ହି-ମ୍ୟାନ୍’ ଭାବେ ପରିଚିତ ଧର୍ମେନ୍ଦ୍ରଙ୍କ ଅସଲ ନାମ ଧରମ୍ ସିଂହ ଦେଓଲ। ପଞ୍ଜାବର ସାହନେୱାଲରେ ପିଲାଦିନ ବିତେଇଥିବା ଧର୍ମେନ୍ଦ୍ର ୧୯୬୦ରେ ମୁକ୍ତିପ୍ରାପ୍ତ ଅର୍ଜୁନ ହିଙ୍ଗରାନୀଙ୍କ ହିନ୍ଦୀ ଫିଲ୍ମ ‘ଦିଲ୍ ଭି ତେରା ହମ୍ ଭି ତେରେ’ରୁ ଅଭିନୟ ଆରମ୍ଭ କରିଥିଲେ। ସେ ମଧ୍ୟ ୱାର୍ଲଡ ଆଇରନ୍ ମ୍ୟାନ୍ ଆୱାର୍ଡ ଲାଭ କରିଥିଲେ। ‘ସତ୍ୟକାମ’, ‘ଖାମୋସୀ’, ‘ସୋଲେ’, ‘କ୍ରୋଧି’ ଓ ‘ୟାଦୋଁ କି ବାରାତ’ ଆଦି ଧର୍ମେନ୍ଦ୍ରଙ୍କ ଅଭିନୀତ ଲୋକପ୍ରିୟଫିଲ୍ମଗୁଡ଼ିକ ମଧ୍ୟରୁ ଅନ୍ୟତମ। ଶେଷଥର ପାଇଁ ସେ ‘ୟମଲା ପଗଲା ଦିୱାନା ଫିର୍ସେ’ରେ ପୁଅ ବବି ଓ ସନ୍ନିଙ୍କ ସହିତ ଦେଖିବାକୁ ମିଳିଥିଲେ।