କିଆରାଙ୍କ ଟ୍ୱିଟର୍ ଏକାଉଣ୍ଟ ହ୍ୟାକ୍

ଭୁବନେଶ୍ୱର , ଏନ୍ଏନ୍ଏସ୍ : ବଲିଉଡ୍ ସୁନ୍ଦରୀ କିଆରା ଆଡଭାନିଙ୍କ ଟ୍ୱିଟର୍ ଏକାଉଣ୍ଟକୁ ହ୍ୟାକର୍ସ ହ୍ୟାକ୍ କରିନେଇଛନ୍ତି। ଏ ବାବଦରେ କିଆରା ନିଜ ପ୍ରଶଂସକଙ୍କୁ ଇନଷ୍ଟାଗ୍ରାମରେ ସତର୍କ କରାଇଦେଇଛନ୍ତି। କିଆରା ଲେଖିଛନ୍ତି, ‘ମୋର ଟ୍ୱିଟର୍ ଏକାଉଣ୍ଟ ହ୍ୟାକ୍ ହୋଇଯାଇଛି ଓ ଏହାକୁ ଠିକ୍ କରିବା ପାଇଁ ଚେଷ୍ଟା ଚାଲିଛି। ମୋ ଏକାଉଣ୍ଟରେ ଯଦି କିଛି ଅନାବଶ୍ୟକ ତଥା ଏଣୁତେଣୁ ପୋଷ୍ଟ ହୋଇଥାଏ, ତାହାକୁ ଅଣଦେଖା କରନ୍ତୁ। ଏହାର କିଛି ସମୟ ପରେ ପ୍ରଶଂସକଙ୍କ ଉଦ୍ଦେଶ୍ୟରେ କିଆରା ପୁଣି ଲେଖିଥିଲେ ଯେ ତାଙ୍କ ଟ୍ୱିଟର୍ ଏକାଉଣ୍ଟରୁ କିଛି ସନ୍ଦେହଜନକ ଲିଙ୍କ୍ ପଠାଯାଇଛି। ଦୟାକରି ତା’ ଉପରେ କ୍ଲିକ୍ କରନ୍ତୁ ନାହିଁ। ତାଙ୍କ ଏକାଉଣ୍ଟ ଏବେ ବି ହ୍ୟାକ୍ ହୋଇ ରହିଛି। ତାଙ୍କ ତରଫରୁ ଏଭଳି କୌଣସି ଲିଙ୍କ୍ ପଠାଯାଇ ନାହିଁ। ଆପଣଙ୍କର ମନେଥିବ, ଏହାର କିଛି ମାସ ପୂର୍ବରୁ ଫିଲ୍ମ ‘କବୀର ସିଂହ’ରେ କିଆରାଙ୍କ ସହ-କଳାକାର ସାହିଦ କପୁରଙ୍କ ଟ୍ୱିଟର୍ ଏକାଉଣ୍ଟ ମଧ୍ୟ ହ୍ୟାକ୍ ହୋଇଥିଲା। ଆହୁରି ମଧ୍ୟ ମେଗାଷ୍ଟାର୍ ଅମିତାଭ ବଚ୍ଚନ, ଗାୟକ ଅଦନାନ ସାମୀଙ୍କ ଟ୍ୱିଟର୍ ଏକାଉଣ୍ଟକୁ ହ୍ୟାକରମାନେ ହ୍ୟାକ୍ କରିନେଇଥିଲେ। କିଆରା ବର୍ତ୍ତମାନ ଅପକମିଂ ଫିଲ୍ମ ‘ଭୁଲ ଭୁଲୈୟା’ର ଦ୍ୱିତୀୟ ପର୍ଯ୍ୟାୟ ସୁଟିଂରେ ବ୍ୟସ୍ତ ଅଛନ୍ତି।