ପାରାଦ୍ୱୀପ,ଏନ୍ଏନ୍ଏସ୍: ଦୀର୍ଘ ୨୧ ବର୍ଷ ଦେଶ ସେବା କରିବା ପରେ ଭାରତୀୟ କୋଷ୍ଟଗାର୍ଡ ଜାହାଜ ‘ରେଜିଆ ସୁଲତାନା’କୁ ସେବାରୁ ଅବସର ଦିଆଯାଇଛି। ଏଥିପାଇଁ ଅବସରକାଳୀନ ସମାରୋହ ପାରାଦ୍ୱୀପ କୋଷ୍ଟଗାର୍ଡ ବର୍ଥରେ ଆୟୋଜିତ ହୋଇଥିଲା। ଏଥିରେ ପୌରହିତ୍ୟ କରିଥିଲେ କୋଷ୍ଟଗାର୍ଡ କମାଣ୍ଡିଙ୍ଗ ଅଫିସର ତଥା ଡିଆଇଜି ଏସ.ଡି. ଭାନୋଟ। ଏହି ଫାଷ୍ଟ ପେଟ୍ରୋଲ୍ ଭେସେଲ ଗୋଆର ସିପ୍ ୟାଡ୍ରେ ନିର୍ମିତ ହୋଇଥିଲା। ଭାରତୀୟ ତଟ ସମେତ ବିଦେଶରେ ମଧ୍ୟ କୋଷ୍ଟଗାର୍ଡ ଜାହାଜ ରେଜିଆ ସୁଲତାନା ତା’ର ପାରଦର୍ଶିତା ପ୍ରଦର୍ଶନ କରିଛି।
ମଙ୍ଗଳବାର ସଂଧ୍ୟାରେ ଏହି ଜାହାଜରୁ କୋଷ୍ଟଗାର୍ଡ ଓ ଭାରତୀୟ ପତାକା ଅବତରଣ କରାଯାଇଥିଲା। ଜାହାଜର କମାଣ୍ଡର୍ ବିଶାଲ ଶର୍ମା ଜାହାଜର ଅବସର ଘୋଷଣା ସମ୍ପର୍କରେ ତଥ୍ୟ ଉପସ୍ଥାପନ କରିଥିଲେ। ଏହାପରେ ଜାହାଜର ଇଞ୍ଜିନ୍କୁ ସବୁ ଦିନପାଇଁ ବନ୍ଦ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ କୋଷ୍ଟଗାର୍ଡର ଉଚ୍ଚପଦସ୍ଥ ଅଧିକାରୀଙ୍କ ସମେତ କର୍ମଚାରୀମାନେ ଯୋଗ ଦେଇଥିଲେ।