ଆନ୍ଧ୍ର ମାଫିଆଙ୍କ କବଜରେ ରାୟଗଡ଼ା ଧାନ-ସାଂସଦ

ରାୟଗଡ଼ା,ଏନ୍ଏନ୍ଏସ୍: ନଭେମ୍ବର ୨୭ରୁ ଖୋଲିଲାଣି ମଣ୍ଡି। ହେଲେ ଏ ପର୍ଯ୍ୟନ୍ତ ଚାଷୀଙ୍କୁ ମିଳିନି ଟୋକେନ୍। ମିଲର୍ସଙ୍କ ସହ ଏଗ୍ରିମେଣ୍ଟ୍ ମଧ୍ୟ ହୋଇନି। ଏହାର ଫାଇଦା ଉଠାଉଛନ୍ତି ଆନ୍ଧ୍ର ଧାନ ମାଫିଆ। ଅମଳ ଧାନକୁ ବିକ୍ରି କରି ଋଣ ପରିଷୋଧ ପାଇଁ ଚାଷୀ ତରତର ହେଉଥିବାରୁ ଅଭାବୀ ବିକ୍ରିର ଫାଇଦା ନେଇ କ୍ୱିଣ୍ଟାଲ ପିଛା ୧୧୫୦ରୁ ୧୩୦୦ ଟଙ୍କାରେ କିଣି ନେଉଛନ୍ତି ଦଲାଲ୍। ଫଳରେ ଚାଷୀ ଶୋଷଣର ଶିକାର ହେଉଛନ୍ତି । ୨୦-୨୧ ଖରିଫରେ ଅମଳ ଧାନ ବିକ୍ରି ପାଇଁ ୧୮୪୨୫ ଚାଷୀ ପଞ୍ଜିକରଣ କରିଛନ୍ତି। ପ୍ରଥମ ପର୍ଯ୍ୟାୟରେ ୮୩୨୮୩ ମେଟ୍ରିକ ଟନ୍ ଧାନ କିଣିବା ଲକ୍ଷ୍ୟ ରହିଥିବାରୁ ତୁରନ୍ତ ଚାଷୀଙ୍କୁ ଟୋକେନ୍ ଏବଂ ୭ ଦିନ ମଧ୍ୟରେ ବୃହତ (୧୦ ଏକରରୁ ଅଧିକ ଜମି ଥିବା) ଚାଷୀଙ୍କୁ ଚିହ୍ନଟ କରିବା ପାଇଁ ନଭେମ୍ବର ୧୨ ତାରିଖରେ ବସିଥିବା ଧାନ କିଣା ବୈଠକରେ ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ଆଜି ସୁଦ୍ଧା ବୃହତ ଚାଷୀ ଚିହ୍ନଟ ପକ୍ରିୟା ଶେଷ ହୋଇନି।  ଟୋକେନ୍ ମିଳିବାରେ ବିଳମ୍ବ ଯୋଗୁ ଚାଷୀ ବାଧ୍ୟ ହୋଇ କମ ଦରରେ ଧାନ ବିକ୍ରି କରୁଥିବା ବେଳେ ଦଲାଲମାନେ କ୍ୱିଣ୍ଟାଲ ପିଛା ୫୦୦ରୁ ୬୫୦ ଟଙ୍କା ପର୍ଯ୍ୟନ୍ତ ଫାଇଦା ଉଠାଇବେ।

ଜିଲ୍ଲା ପ୍ରଶାସନର ଏପରି ଚାଷୀ ମାରଣା ନୀତିକୁ କଂଗ୍ରେସ ଘୋର ବିରୋଧ କରୁଛି ବୋଲି କହିଛନ୍ତି ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସାଂସଦ ଇଂ. ସପ୍ତଗିରି ଉଲାକା । ଚଳିତ ବର୍ଷର ଖରିଫ୍ ଧାନ କିଣା ଆରମ୍ଭରୁ ଦେଖା ଦେଇଥିବା ମଣ୍ଡି ସମସ୍ୟା, ଅଭାବୀ ବିକ୍ରିକୁ ନେଇ କଂଗ୍ରେସ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଉଲାକା ତୀବ୍ର ପ୍ରୀତିକ୍ରିୟାରେ ପ୍ରକାଶ କରିଛନ୍ତି । ରାୟଗଡ଼ା ଜିଲ୍ଲା କଂଗ୍ରେସ କମିଟି ଦ୍ୱାରା ଆୟୋଜିତ ସମ୍ବାଦିକ ସମ୍ମିଳିନୀରେ ପ୍ରଶାସନ ଧାନ କିଣା ପ୍ରକ୍ରିୟାକୁ ସ୍ୱାଭାବିକ ନ କଲେ ଆନ୍ଦୋଳନକୁ ଓହ୍ଲାଇବାକୁ ବରିଷ୍ଠ କଂଗ୍ରେସ ନେତା ଆପଲସ୍ୱାମୀ କାଡ୍ରକା କହିଥିଲେ । ଡିସେମ୍ବର ୧୦ ତାରିଖ ସୁଦ୍ଧା ଧାନ କିଣାକୁ ସ୍ୱାଭାବିକ କରିବାକୁ ଜିଲ୍ଲା ପରିଷଦ ସଭ୍ୟ ନନ୍ଦ କିଶୋର ଚୌଧୁରୀ ଦାବି କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଅଖିଳ ଭାରତୀୟ କଂଗ୍ରେସ କମିଟିର ସଦସ୍ୟ ରତ୍ନମଣି ଉଲାକା, ବରିଷ୍ଠ କଂଗ୍ରେସ ଶଙ୍କର୍ଷଣ ମଙ୍ଗରାଜ ଉପସ୍ଥିତ ଥିଲେ।