ଡକାୟତି ଉଦ୍ୟମ ପଣ୍ଡ: ୬ ଗିରଫ

ରାୟଗଡ଼ା,ଏନ୍ଏନ୍ଏସ୍ : ରାୟଗଡ଼ା ପୁଲିସକୁ ଏକ ବଡ ସଫଳତା ମିଳିଛି। ରାୟଗଡ଼ା ସହରରେ ଡକାୟତି ଯୋଜନା କରୁଥିବା ୪ ଆନ୍ତରାଜ୍ୟ ଡକାୟତଙ୍କ ସହ ରାୟଗଡ଼ା ଜିଲ୍ଲାର ୨ ଜଣଙ୍କୁ ଧରିବାରେ ସଫଳ ହୋଇଛି। ପୁଲିସ ସୂଚନା ଅନୁସାରେ, ରାୟଗଡ଼ା ସହରସ୍ଥିତ ଏକ ଇଞ୍ଜିନିୟରିଂ କଲେଜ ପଛପଟେ ଡକାୟତି କରିବା ପାଇଁ ଯୋଜନା ଚାଲିଥିଲା। ଖବର ପାଇ ଟାଉନ ଥାନା ଏସ୍ଆଇ ରିଗୋନ କିଣ୍ଡୋ, ଏସ୍ଆଇ କେସିଏଚ୍ ବେହେରାଙ୍କ ନେତୃତ୍ୱରେ ଏକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ୬ ଜଣ ଡକାୟତଙ୍କୁ କାବୁ କରିଥିଲେ। ସେଥିରୁ ୪ ଜଣ ଆନ୍ଧ୍ରର ହୋଇଥିବାବେଳେ ୨ ଜଣ ରାୟଗଡ଼ା ସଦର ବ୍ଲକ୍ ସାନ୍ଧୁବାଡି ଗ୍ରାମର ବୋଲି ଜଣାପଡ଼ିଛି। ସେମାନଙ୍କ ମଧ୍ୟରେ ୩ ଜଣ ନାବାଳକ ରହିଛନ୍ତି। ତାଙ୍କ ନିକଟରୁ ଏକ ନମ୍ବର ବିହୀନ ଅଟୋ, ଗୋଟିଏ ବାଇକ୍, ଗୋଟିଏ ଦେଶୀ ବନ୍ଧୁକ, ଗୁଳି, ଖଣ୍ଡା, ହାତ ତିଆରି ବୋମା ଏବଂ ଟର୍ଚ୍ଚ ଲାଇଟ ଜବତ କରାଯାଇଥିଲା। ଏ ନେଇ ଏକ ମାମଲା ରୁଜୁ କରାଯାଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି।