ଅବହେଳିତ ହୋଇ ପଡ଼ିଛି ଦୁଗ୍ଧ ଶୀତଳିକରଣ କେନ୍ଦ୍ର

ରାୟଗଡ଼ା,ଏନ୍ଏନ୍ଏସ୍: ଦୁଗ୍ଧ ଉତ୍ପାଦନ କ୍ଷେତ୍ରରେ ରାୟଗଡାର ଦୁଗ୍ଧ ଶୀତଳିକାରଣ କେନ୍ଦ୍ର ୯୦ ଦଶକରେ ଅବିଭକ୍ତ କୋରାପୁଟ ଜିଲ୍ଲାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା । ଏବେ ପରିଚାଳନାଗତ ତ୍ରୁଟି ସାଙ୍ଗକୁ ରକ୍ଷଣାବେକ୍ଷଣ ଅଭବାରୁ ଜରାଜୀର୍ଣ୍ଣରେ ପରିଣତ ହେବାକୁ ବସିଲାଣି । ପ୍ରୋତ୍ସାହନ ଅଭାବ ଯୋଗୁଁ ଏଠାକାର ଚାଷୀମାନେ ଧିରେଧିରେ ଗୋ ପାଳନରୁ ମୁହଁ ଫେରେଇଲେଣି । ୧୯୯୫ ମସିହାରେ ୫ ଏକର ଜମିରେ ଏହି କେନ୍ଦ୍ରଟି ସ୍ଥାପନ କରାଯାଇଥିଲା । ୧୦ ହଜାର ଲିଟର କ୍ଷମତା ସମ୍ପନ୍ନ ଏହି ଦୁଗ୍ଧ ଶୀତଳିକରଣ କେନ୍ଦ୍ରରେ ଦୁଗ୍ଧ ସଂଗ୍ରହ ସାଙ୍ଗକୁ ସେଥିରୁ ଲହୁଣୀ ଅଂଶ ବାହାର କରି ଖୋଲା ବଜାରକୁ ଛଡ଼ାଯାଉଥିଲା । ତା’ ସାଙ୍ଗକୁ ଏଠାରୁ ପ୍ରସ୍ତୁତି ଘିଅ, ଲହୁଣୀ, ଛେନା ଜାତୀୟ ଦ୍ରବ୍ୟ ରାଜ୍ୟର ବିଭିନ୍ନ ସହରରେ ବିକ୍ରି କରି ବେଶ ଲାଭବାନ ହେଉଥିଲା ।

ସେତେବେଳେ ଏହି ୟୁନିଟର ପରିଚାଳନା ଦାୟିତ୍ୱ ପଶୁସମ୍ପଦ ବିଭାଗ ଅଧୀନରେ ଥିଲା। ପରବର୍ତ୍ତୀ ମୁହୂର୍ତ୍ତରେ ଏହି ୟୁନିଟର ପରିଚାଳନା ଦାୟିତ୍ୱ ଓମଫେଡକୁ ହସ୍ତାନ୍ତର କରିବାପର ଠାରୁ କେବଳ କ୍ଷୀର ସଂଗ୍ରହ ମଧ୍ୟରେ ସୀମିତ ରହିଛି । କୋଟିକୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ପ୍ଲାଣ୍ଟର ଯନ୍ତ୍ରାଂଶ ଏବେ ଖତ ଖାଇବାକୁ ବସିଲାଣି। ଏପରିକି ଛାତରୁ ଲୁହାଛଡ଼ ବାହାରି ପଡିଥିବା ବେଳେ ଅକାମି ହୋଇ ପଡିଛି ବୋଏଲିଙ୍ଗ ମେସିନ । କେବଳ ସେତିକି ନୁହଁ ୯୦ ଦଶକରେ କ୍ଷୀର ବାବଦକୁ ଚାଷୀ ଯାହା ପାଉଥିଲା ତାହା ତୁଳନାରେ ସେମିତି କିଛି ବୃଦ୍ଧି ହୋଇନଥିବା ଚାଷୀ ଅଭିଯୋଗ କରିଛନ୍ତି। ଏହି କେନ୍ଦ୍ରରୁ ପ୍ରତିଦିନ ୧୦ ହଜାର ଲିଟର କ୍ଷୀର ସଂଗ୍ରହ କରି ରେକର୍ଡ ସୃଷ୍ଟି କରିଥିବାବେଳେ ଏବେ ଏହା ଖସି ଆସି ୩୦୦୦ ଲିଟରରେ ସୀମିତ ରହିଛି ।