ରାୟଗଡାରେ ନବରଙ୍ଗପୁର ଜିଲ୍ଲାପାଳଙ୍କ କାର ଦୁର୍ଘଟଣା ଗ୍ରସ୍ଥ

ରାୟଗଡା,ଏନ୍ଏନ୍ଏସ୍ : ରାୟଗଡା ଜିଲ୍ଲା କୋଲନରା ବ୍ଲକ ମୁକୁ୍ନ୍ଦପୁର ଫାଣ୍ଡି ଅନ୍ତର୍ଗତ ହାତିଖମ୍ବା ଗାଁ’ ନିକଟରେ ନବରଙ୍ଗପୁର ଜିଲ୍ଲାପାଳଙ୍କ କାର ଦୁର୍ଘଟଣା ଗ୍ରସ୍ଥ ହୋଇଛି। ଗତକାଲି ବିଳମ୍ବିତ ରାତିରେ ଏହି ଘଟଣା ଘଟିଛି। ବଡ ଧରଣର ଦୁର୍ଘଟଣା ହୋଇଥିଲେ ମଧ୍ୟ ଜିଲ୍ଲାପାଳ ଏବଂ ତାଙ୍କ ଡ୍ରାଇଭର ସୁରକ୍ଷିତ ଅଛନ୍ତି। ନବରଙ୍ଗପୁର ଜିଲ୍ଲାପାଳ ଡ. ଅଜିତ କୁମାର ମିଶ୍ର ନିଜ ଗାଡିରେ ଭୁବନେଶ୍ୱର ଅଭିମୁଖେ ଯାଉଥିବା ବେଳେ ମୁକୁନ୍ଦପୁର ହାତୀଖମ୍ବା ନିକଟରେ ଏକ ମଇଁଷି ସହ ଧକ୍କା ହୋଇଥିଲା। ଏହି ଦୁର୍ଘଟଣାରେ କାରରେ ଥିବା ବ୍ୟକ୍ତିମାନେ ସୁରକ୍ଷିତ ଥିବା ଜଣାଯାଇଛି। ଜିଲ୍ଲାପାଳଙ୍କ ଦୁର୍ଘଟଣା ଖବର ପାଇ ଘଟଣା ସ୍ଥଳରେ ରାୟଗଡା ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା ଏବଂ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଡ.ଶ୍ରବଣା ବିବେକ ଏମ ଘଟଣାସ୍ଥଳରେ ପହଂଚିଥିଲେ।

ରାୟଗଡା ଜିଲ୍ଲାପାଳ ପ୍ରମୋଦକ କୁମାର ବେହେରାଙ୍କ ସହ ନବରଙ୍ଗପୁର ଜିଲ୍ଲାପାଳ ଡ. ଅଜିତ କୁମାର ମିଶ୍ର ଗୁଣପୁର ଅଭିମୁଖେ ବାହାରିଥିଲେ। ସେଠାରୁ ଅନ୍ୟ ଏକ ଗାଡିର ବ୍ୟବସ୍ଥା କରାଯାଇ ରାତିରେ ହିଁ ଶ୍ରୀ ମିଶ୍ର ଭୂବନେଶ୍ୱର ଅଭିମୁଖେ ବାହାରିଥିଲେ। ଦୁର୍ଘଟଣା ନେଇ ଜିଲ୍ଲାପାଳଙ୍କ ଡ୍ରାଇଭର ନିରଞ୍ଜନ ସୁନା ଚାନ୍ଦିଲୀ ଥାନାରେ ଏତଲା ଦେଇଛନ୍ତି । ଦୁର୍ଘଟଣା ସମ୍ପର୍କରେ ଚାନ୍ଦିଲୀ ପୋଲିସ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଦେଇଛନ୍ତି। ଅସମର୍ଥିତ ସୂତ୍ରରୁ ଜିଲ୍ଲାପାଳ ଅଜିତ କୁମାର ମିଶ୍ର ଏହି ଗାଡିରେ ଥିବା କୁହାଯାଉଥିବା ବେଳେ ପୋଲିସ ପକ୍ଷରୁ ଏ ସମ୍ପର୍କରେ କୌଣସି ସୂଚନା ମିଳିନାହିଁ। ଦୁର୍ଘଟଣାଗ୍ରସ୍ଥ କାରକୁ ଆଜି ଏକ ମିନିଟ୍ରକ ଯୋଗେ ଚାନ୍ଦିଲୀ ଥାନାକୁ ଅଣାଯାଇଛି। ଘଟଣା ସମ୍ପର୍କରେ ଚାନ୍ଦିଲୀ ଥାନାରେ ଏକ ଷ୍ଟେସନ ଡାଇରୀ କରାଯାଇ ଥିବା ସୂଚନା ମିଳିଛି। ତେବେ କରୋନା ଲକଡାଉନବେଳେ ନବରଂଗପୁର ଜିଲ୍ଲାପାଳ କେଉଁଠାକୁ ଯାଉଥିଲେ, କିମ୍ବା ଦୁର୍ଘଟଣା ସଂପର୍କରେ ଚାନ୍ଦିଲୀ ପୋଲିସ କାହିଁକି ମୁହଁ ଖୋଲୁନି ତାହା ସ୍ପଷ୍ଟ ହୋଇପାରୁନି।