ମାଓବାଦୀଙ୍କ ସହିଦ ସପ୍ତାହକୁ ଦେଖି ସିଲ ହେଲା ଆନ୍ଧ୍ର-ଓଡ଼ିଶା ସୀମା

ରାୟଗଡ଼ା,ଏନ୍ଏନ୍ଏସ୍: ଗତକାଲିଠାରୁ ଆରମ୍ଭ ହୋଇଛି ମାଓବାଦୀଙ୍କ ସହିଦ୍ ସପ୍ତାହ। ସୁରକ୍ଷା ଦୃଷ୍ଟିରୁ ମାଓପ୍ରବଣ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା କଡାକଡ଼ି କରାଯିବା ସହ ଆନ୍ତରାଜ୍ୟ ସୀମାକୁ ସିଲ କରାଯାଇଛି। ମାଓବାଦୀଙ୍କ ଗତିବିଧି ଉପରେ ଗୋଇନ୍ଦା ବିଭାଗ କଡ଼ା ନଜର ରଖିଛି । ଏସଓଜି-ସିଆରପିଏଫ-ବିଏସଏଫ ପକ୍ଷରୁ କମ୍ବିଂ ଅପରେସନକୁ ଜୋରଦାର କରାଯାଇଥିବା ସୂଚନା ଦେଇଛନ୍ତି ଏସପି  ଡା. ଶର୍ବଣା ବିବେକ ଏମ୍। ରାୟଗଡ଼ା ଜିଲ୍ଲାକୁ ଲାଗିଥିବା କନ୍ଧମାଳ-କଳାହାଣ୍ଡି ସୀମାନ୍ତରେ ବଂଶଧାରା-ଘୁମୁସର-ନାଗାବଳୀ ମାଓ ଡିଭିଜନ ସକ୍ରିୟ ରହିଛି। ଗତକିଛି ଦିନ ମଧ୍ୟରେ କନ୍ଧମାଳରେ ପୁଲିସ ଏନକାଉଣ୍ଟରରେ ଏହି ସଂଗଠନର ୭ ମାଓବାଦୀ ନିହତ ହୋଇଥିବାରୁ ସହିଦ ସପ୍ତାହରେ ମାଓବାଦୀ ନିଜ ସ୍ଥିତି ଜାହିର କରିବାପାଇଁ କିଛି ଅଘଟଣ ଘଟାଇବାକୁ ଯୋଜନାକରୁଥିବା ଗୁଇନ୍ଦା ବିଭାଗ ସୂଚନା ଦେବାପରେ ପୁଲିସ ପକ୍ଷରୁ ରେଡ ଏଲର୍ଟ ଜାରି  କରାଯାଇଛି। ମାଓପ୍ରବଣ କଲ୍ୟାଣସିଂହପୁର, ଚନ୍ଦ୍ରପୁର, ମୁନିଗୁଡା, ବିଷମକଟକ, କାଶୀପୁର, ରାୟଗଡ଼ା ବ୍ଲକ ଅଞ୍ଚଳରେ ୫ ପ୍ଲାଟୁନ୍ ସିଆରପିଏଫ୍, ୨ ପ୍ଲାଟୁନ ବିଏସଏଫ ଯବାନ କମ୍ବିଂରେ ସାମିଲ ହୋଇଛନ୍ତି। ବିଶେଷ କରି ନିୟମଗିରି ଓ ବେଲଘର ଜଙ୍ଗଲ ଉପରେ ତିକ୍ଷ୍ଣ ଦୃଷ୍ଟି ରଖିଛି ପୁଲିସ। କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ-କୋଟଗଡ଼ରୁ ରାୟଗଡ଼ା ଦେଇ ମାଓବାଦୀ କଳାହାଣ୍ଡିକୁ ଯାତାୟାତ କରୁଥିବାରୁ ପୁଲିସ୍ କମ୍ବିଂ ଓ ସର୍ଚ୍ଚ ଅପରେସନକୁ ଜୋରଦାର କରିଛି।

ଏଥିସହିତ ଆନ୍ତଃ ଜିଲ୍ଲା ସୀମାନ୍ତରେ ନାକାବନ୍ଦୀ ଲଗାଇ ଯାଞ୍ଚକୁ କଡାକଡ଼ି କରିଛି। ଜିଲ୍ଲାର ବିଭିନ୍ନ ବ୍ଲକରୁ ଆନ୍ଧ୍ରକୁ ସଂଯୋଗ ହୋଇଥିବା ରାସ୍ତା ସିଲ ସହ ମାଓ ପ୍ରଭାବିତ ଗାଁ ଗୁଡ଼ିକ ଉପରେ ପୁଲିସ ନଜର ରଖିଛି। ମାଓନେତା ବଣ୍ଟିର ସ୍ତ୍ରୀ ଇନ୍ଦୁଙ୍କ ନେତୃତ୍ୱରେ ୩୦ ଜଣିଆ ଟିମ୍ କଲ୍ୟାଣସିଂହପୁର ବ୍ଲକର ନିୟମଗିରି, ଲାମ୍ବେସୁ, ପାତାଲାମା, ମୁନିଗୁଡ଼ା ବ୍ଲକର ରଘୁବାରୀ, ଡିମିରିଗୁଡା, ଚନ୍ଦ୍ରପୁର ବ୍ଲକ ହନୁମନ୍ତପୁର, ଜାରପା, ହାକୁସପଙ୍ଗା, ଗର୍ଲାଗୁଡ଼ି, କାର୍କାମାର୍କା ଜଙ୍ଗଲରେ ଲୁଚିଥିବା ଗୁଇନ୍ଦା ସୂଚନା ମିଳିଛି। ଏହି ସମସ୍ତ ଇଲାକାରେ ପୁଲିସ ଓ ଯବାନଙ୍କ ପକ୍ଷରୁ କମ୍ବିଂ ଅପରେସନ୍ ଚାଲିଛି। ଅଗଷ୍ଟ ୩ ତାରିଖ ପର୍ଯ୍ୟନ୍ତ ମାଓବାଦୀଙ୍କ ସହିଦ ସପ୍ତାହ ଚାଲିବାକୁ ଥିବାରୁ ମାଓପ୍ରବଣ ଅଞ୍ଚଳ ସମେତ ସୀମାନ୍ତରେ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦିଆଯାଇଛି। ଜିଲ୍ଲାର କାଶୀପୁର ଅଞ୍ଚଳରେ ବିଏସଏଫ୍, ରାୟଗଡ଼ା, କଲ୍ୟାଣସିଂହପୁର, ଅମ୍ବାଦଳା, ମୁନିଗୁଡ଼ା, ଚନ୍ଦ୍ରପୁର, ବିଷମକଟକ ମାଓପ୍ରବଣ ଇଲାକାରେ ସିଆରପିଏଫ ଯବାନ କମ୍ବିଂରେ ସାମିଲ ହୋଇଛନ୍ତି।