ରାୟଗଡ଼ା,ଏନ୍ଏନ୍ଏସ୍: କରୋନା ଭୂତାଣୁରୁ ରକ୍ଷା ପାଇବା ପାଇଁ ଡଙ୍ଗରିଆ କନ୍ଧ ନିୟମରାଜାକୁ ପୂଜାର୍ଚ୍ଚନା କରିଛନ୍ତି। ରାୟଗଡ଼ା ଜିଲ୍ଲାର ନିୟମଗିରି ପର୍ବତମାଳାରେ ବସବାସ କରନ୍ତି ଏହି ଡଙ୍ଗରିଆ ଆଦିମ ଜନଜାତି । ଦୁର୍ବିପାକ ହେଉ କିମ୍ବା ରୋଗ ବ୍ୟାଧିହେଲେ ସେମାନେ ନିୟମରାଜାଙ୍କ ନିକଟରେ ପୂଜା କରିଥାନ୍ତି। ଯେଉଁଥିରେ ଛେଳି, କୁକୁଡ଼ା ବଳି ଦେବାସହ ପ୍ରତ୍ୟେକ ପରିବାର ନଡ଼ିଆ ଓ ଭାତ ପୂଜା କରିଥାନ୍ତି। ଆଜି ଶେଷ ହୋଇଛି ସେମାନଙ୍କ ପିଡିକା ଯାତ୍ରା। ସମସ୍ତ ଗ୍ରାମବାସୀ ପୂଜାରେ ସାମିଲ୍ ହୋଇ ଭୋଗ ଲଗାଇବା ପରେ ଭଲ ଫସଲ ଅମଳ ନେଇ ଆଶା ବାନ୍ଧିଛନ୍ତି। ମୌସୁମୀ ସ୍ୱାଭାବିକ ହେବାପରେ ଡଙ୍ଗରିଆ ଆରମ୍ଭ କରିଛି ଚାଷ କାମ। ପଣସ, କଦଳୀ, ହଳଦୀ, ତେନ୍ତୁଳି, ସପୁରି, ଆମ୍ବ, ମାଣ୍ଡିଆ, ଅଦା ସହ ବିଭିନ୍ନ ପନିପରିବା ଓ ତୈଳବୀଜ ଫସଲ ଚାଷ କରି ଜୀବିକା ନିର୍ବାହ କରନ୍ତି ଏମାନେ । ନିମୟଗିରି ପାହାଡ଼ ଉପରେ ଅବସ୍ଥିତ ବିଷମକଟକ ବ୍ଲକ୍ କୁର୍ଲି ପଞ୍ଚାୟତର ୨୨ ଖଣ୍ଡ ଗ୍ରାମରେ ବସବାସ କରୁଥିବା ଡଙ୍ଗରିଆଙ୍କ ଆୟର ପ୍ରମୁଖ ମାଧ୍ୟମ ହେଉଛି ଚାଷ। ଚଳିତବର୍ଷ ଭଲ ଫସଲ ଆମଦାନୀ ହୋଇଥିବାରୁ ଆଗାମୀ ଅମଳ ପାଇଁ ଆଜି ସରିଛି ଡଙ୍ଗରିଆଙ୍କ ପିଡିକା ପର୍ବ। କାଡ୍ରାଗୁମ୍ମା ଗାଁ ନିକଟରେ ଅନୁଷ୍ଠିତ ପିଡିକା ପର୍ବରେ ଗ୍ରାମବାସୀ ଏକାଠି ହୋଇ ନିୟମରାଜାକୁ ସ୍ମରଣ କରି ଧରଣୀପେନୁକୁ ପୂଜା କରିଛନ୍ତି। ଚଳିତବର୍ଷ କରୋନା ଦାଉ ସବୁଅଞ୍ଚଳକୁ ଛୁଇଁଥିବାବେଳେ ଏଯାବତ୍ ଡଙ୍ଗରିଆଙ୍କୁ ଛୁଇଁ ପାରିନି। ଏଣୁ ରୋଗ ଦାଉରୁ ରକ୍ଷା ପାଇଁ ମଧ୍ୟ ପିଡିକା ଯାତ୍ରାରେ ପ୍ରାର୍ଥନା କରାଯାଇଛି ବୋଲି ଡଙ୍ଗରିଆ କହିଛନ୍ତି।