ସିନ୍ଦୁରକଲି ସେବାଶ୍ରମରେ ନବ ନିର୍ମିତ ମନ୍ଦିର ତ୍ରୟର ରତ୍ନମୁଦ

ଦେବଗଡ଼,ଏନ୍‌ଏନ୍‌ଏସ୍‌: ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ ତାରଙ୍ଗ ପଞ୍ଚାୟତ ଅନ୍ତର୍ଗତ ସଂଜୀବନୀ ଶ୍ରୀ କ୍ଷେତ୍ର, ସିନ୍ଦୁରକଲି ସେବାଶ୍ରମରେ ନବ ନିର୍ମିତ ଶ୍ରୀ ଜଗନ୍ନାଥ, ଶ୍ରୀ ରାମ ଓ ଶିବ ମନ୍ଦିର ତ୍ରୟର ରତ୍ନମୁଦ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଆଶ୍ରମ ମୁଖ୍ୟ ଶ୍ରୀ ଶ୍ରୀ ଶଙ୍କର୍ଷଣ ଦାଶ ମହାରାଜଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଇନ୍ଦ୍ର ଇନ୍ଦ୍ରାଣୀ ପୂଜା ଓ ରତ୍ନଶ୍ୱେରୀ ମହାଯଜ୍ଞ ହୋଇଛି । ଏଥିଲାଗି ଗତକାଲି ବିରାଟ କଳସ ଶୋଭାଯାତ୍ରା ମଧ୍ୟ ହୋଇଥିଲା । ଆଜି ସକାଳୁ ଆଶ୍ରମ ମୁଖ୍ୟ ମହାରାଜ ଶଙ୍କର୍ଷଣ ଦାଶ ଯଜ୍ଞବିଧି ଆରମ୍ଭ କରିବା ପରେ ହଜାର ହଜାର ଶ୍ରଦ୍ଧାଳୁ ମନ୍ଦିର ଚୁଡ଼ାକୁ ଚଢ଼ି ରତ୍ନମୁଦରେ ନିଜ ନିଜ ସାମର୍ଥ୍ୟ ଅନୁଯାୟୀ ଧାନ, ମୂଲ୍ୟବାନ ଧାତୁ ଓ ଅର୍ଥ ଭର୍ତ୍ତି କରୁଥିବା ଦେଖିବାକୁ ମିଳିଥିଲା । ଏହି ମନ୍ଦିର ପ୍ରତିଷ୍ଠାର ମୁଖ୍ୟ ପୁରୋଧା ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ, ପାଲଲହଡ଼ା ବିଧାୟକ ମୁକେଶ ପାଲ, ରେଢ଼ାଖୋଲ ବିଧାୟକ ରୋହିତ ପୂଜାରି ଓ ରାଜ୍ୟସଭା ସାଂସଦ ପ୍ରସନ୍ନ ଆଚାର୍ଯ୍ୟଙ୍କ ସମେତ ହଜାର ହଜାର ଶ୍ରଦ୍ଧାଳୁ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।