ପାଟଣାଗଡ଼ରେ ଶାନ୍ତି ଶୃଙ୍ଖଳା ସହ ସମ୍ପନ୍ନ ହେଲା ରଥଯାତ୍ରା

ପାଟଣାଗଡ଼,ଏନ୍‌ଏନ୍‌ଏସ୍‌: ପାଟଣାଗଡ଼ରେ ଶାନ୍ତି ଶୃଙ୍ଖଳା ସହକାରେ ରଥଯାତ୍ରା ଅନୁଷ୍ଠିତ ହୋଇଯାଇଛି । ପାଟଣାଗଡ଼ ଦେବୋତ୍ତର ବିଭାଗର ନିଷ୍ପତ୍ତି ଅନୁଯାୟୀ ଜଗନ୍ନାଥ ମନ୍ଦିରରେ ପ୍ରଭୁଙ୍କ ନୀତିକାନ୍ତି କରାଯାଇ ଅପରାହ୍ନ ୩ଟାରେ ପ୍ରଥମେ ସୁଦର୍ଶନଙ୍କ ପହଣ୍ଡି ବିଜେ ପରେ ବଳଭଦ୍ର, ସୁଭଦ୍ରା ଓ ଶେଷରେ ଜଗନ୍ନାଥଙ୍କ ପହଣ୍ଡି ବିଜେ କରି ରଥ ଖଳାକୁ ଅଣାଯାଇଥିଲା । ପରେ ରଥ ଟଣା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଚଳିତ ବର୍ଷ ହଜାର ହଜାର ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ପାଟଣାଗଡ଼ ପ୍ରଶାସନ ଓ ପୁଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା । ଏହି ପବିତ୍ର ରଥଯାତ୍ରାରେ ପାଟଣାଗଡ଼ ଉପଜିଲ୍ଲାପାଳ ତଥା ଦେବୋତ୍ତର ଅଧିକାରୀ ଡକ୍ଟର ବିଜୟା ନନ୍ଦ ସେଠୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସୁଭଦ୍ରାଙ୍କ ରଥକୁ ମାଜିଷ୍ଟ୍ରେଟ ଭାବେ ତହସିଲଦାର ଡା. ପୁଷ୍ପାଞ୍ଜଳି ପଣ୍ଡା, ବଳଭଦ୍ରଙ୍କ ରଥକୁ ପାଟଣାଗଡ଼ ଅତିରିକ୍ତ ତହସିଲଦାର ଓ ଜଗନ୍ନାଥଙ୍କ ରଥକୁ ଖପ୍ରାଖୋଲ ତହସିଲଦାର ଆଦିତ୍ୟ ପ୍ରସାଦ ମିଶ୍ର ତଦାରଖ କରିଥିଲେ । ଏହି ରଥଯାତ୍ରାରେ ପୁଲିସ ତରଫରୁ ଏସଡିପିଓ ଜ୍ୟୋର୍ତିମୟ ଭୁକ୍ତାଙ୍କ ସହ ଏକ ପ୍ଲାଟୁନ ପୁଲିସ ଫୋର୍ସ ସହାୟତା କରିଥିଲେ । ୩ ଠାକୁରଙ୍କ ରଥ ଏକ ଘଣ୍ଟା ବିଳମ୍ବରେ ମାଉସୀ ମା’ ମନ୍ଦିରରେ ପହଞ୍ଚିଥିଲା । ଏହି ରଥଯାତ୍ରା ପାଇଁ ପାଟଣାଗଡ଼ ଓ ତା’ର ଆଖପାଖ ଅଞ୍ଚଳରୁ ପ୍ରାୟ ୧୦ରୁ ୧୫ ହଜାର ଲୋକଙ୍କ ସମାଗମ ହୋଇଥିଲା । ଶାନ୍ତି ଶୃଙ୍ଖଳା ସହ ରଥ ଯାତ୍ରା ହୋଇଥିବାରୁ ପାଟଣାଗଡ଼ ଉପଜିଲ୍ଲାପାଳ ବିଜୟାନନ୍ଦ ସେଠୀ ସମସ୍ତ ଜନସାଧାରଣଙ୍କୁ ଧନ୍ୟବାଦ ଜଣାଇଛନ୍ତି ।