ଅନିର୍ଦ୍ଦିଷ୍ଟ କାଳ ପାଇଁ ଟ୍ରାକ୍ଟର ରାଲି ସ୍ଥଗିତ, ସୀମାରେ ରାପିଡ ଆକ୍ସନ ଫୋର୍ସ ମୁତୟନ

ନୂଆଦିଲ୍ଲୀ,ଏଜେନ୍ସି: ଗତକାଲି ସାଧାରଣତନ୍ତ୍ର ଦିବସରେ ଦିଲ୍ଲୀରେ କୃଷକ ମାନେ ଟ୍ରାକ୍ଟର ରାଲି କରିଥିଲେ। ଏହି ସମୟରେ ଚାଷୀମାନେ ଭଙ୍ଗାରୁଜା କରିବା ସହିତ ବ୍ୟାପକ ଅରାଜକତା ସୃଷ୍ଟି କରିଥିଲେ। ଫଳରେ ଟ୍ରାକ୍ଟର ରାଲିକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି। ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ ସମସ୍ତ ଚାଷୀ ସଂଗଠନକୁ ଏନେଇ ଅବଗତ କରାଯାଇଛି। ଚାଷୀମାନେ ନିଜ ସଂଗଠନର ଆନ୍ଦୋଳନ ସ୍ଥଳକୁ ଫେରିଆସିବାକୁ କୁହାଯାଇଛି। ଆଗାମୀ ୨ରୁ ୩ ଦିନ ମଧ୍ୟରେ ଆନ୍ଦୋଳନର ରୂପରେଖ ପ୍ରସ୍ତୁତ କରାଯିବ ବୋଲି କିଷାନ ମୋର୍ଚ୍ଚା ପକ୍ଷରୁ କୁହାଯାଇଛି।

ଅନ୍ୟପଟେ ଗତକାଲିର ହିଂସାକାଣ୍ଡ ଓ ଅଗଣତାନ୍ତ୍ରିକ ଆଇନକୁ ଖିଲାପ କରିବା ପରେ ବିକ୍ଷୋଭକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଖୋଳତାଡ଼ ଆରମ୍ଭ ହୋଇଛି। ଦିଲ୍ଲୀ ପୁଲିସ ଲାଲକିଲ୍ଲା ଅଞ୍ଚଳର ସିସିଟିଭି ଫୁଟେଜକୁ ଯାଞ୍ଚ କରିବା ସହ ସମସ୍ତ ଭିଡିଓକୁ ତଦନ୍ତ ପରିସରକୁ ନେଇଛି।

ଟିକିରି ଗାଜିପୁର ଅଞ୍ଚଳରେ ସୁରକ୍ଷା ବଢ଼ାଇବା ସହ ୧୫ ପ୍ଲାଟୁନ୍ ଅର୍ଦ୍ଧସାମରିକ ବାହିନୀ ମୁତୟନ ପାଇଁ ନିଷ୍ପତ୍ତି ହୋଇଛି। ଘଟଣାର ସବିଶେଷ ସ୍ଥିତି ନେଇ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଅବଗତ କରାଇଛନ୍ତି କେନ୍ଦ୍ର ଗୃହ ସଚିବ। ଦିଲ୍ଲୀ ପୁଲିସ ଓ ଗୃହ ବିଭାଗର ବରିଷ୍ଠ ଅଧିକାରୀଙ୍କ ସହ ଗତକାଲି ଏନେଇ ଆଲୋଚନା ହୋଇଛି। ସତର୍କତା ମୂଳକ ପଦକ୍ଷେପ ସ୍ୱରୂପ ଚାଷୀମାନେ ଆନ୍ଦୋଳନ କରୁଥିବା ଦିଲ୍ଲୀର ୫ଟି ସ୍ଥାନ ସିଂଘୁ, ଗାଜିପୁର, ଟିକିରି, ମୁକରବା ଚୌକ ଓ ନଙ୍ଗୋଲି ଅଞ୍ଚଳରେ ମୋବାଇଲ ଇଣ୍ଟରନେଟ୍ ସେବାକୁ ସାମୟିକ ଭାବେ ବାତିଲ କରାଯାଇଛି। ଏଥିସହ ରାପିଡ ଆକ୍ସନ ଫୋର୍ସ ଦିଲ୍ଲୀ ସୀମାରେ ମୁତୟନ ରହିଛନ୍ତି।