ଜଙ୍ଗଲରେ ଯୁବତୀଙ୍କୁ ଗଣଦୁଷ୍କର୍ମ : ତିନି ଗିରଫ

ରାଉରକେଲା,ଏନ୍ଏନ୍ଏସ୍ : ସୁନ୍ଦରଗଡ ଜିଲ୍ଲା ଚାନ୍ଦିପୋଷ ଅଂଚଳର ଖୁକୁଣ୍ଡବାହାଲ ଜଙ୍ଗଲରେ ରାତି ତମାମ ୩ଜଣ ଯୁବକ ଜଣେ ଯୁବତୀକୁ ଦୁଷ୍କର୍ମ କରିବା ମାମଲାରେ ଉଭୟ ଚାନ୍ଦିପୋଷ ଓ କୁଆଁରମୁଣ୍ଡା ପୁଲିସ ୩ ଅଭିଯୁକ୍ତଙ୍କୁ କୁଆଁରମୁଣ୍ଡା ଅଂଚଳରୁ ଗୁରୁବାର ଗିରଫ କରିଛନ୍ତି ।

ସୂଚନା ଅନୁଯାୟୀ, ଗତ ୨୯ତାରିଖ ରାତିରେ କୁଆଁରମୁଣ୍ଡାର ବିଜୟ ଓରାମ(୨୫), ରଂଜିତ ଟପୋ(୨୬) ଓ ସଂଜିତ ଟପୋ(୨୭) କୌଣସି କାମରେ ଚାନ୍ଦିପୋଷ ଥାନା ଏରିଆର ହାତୀଗୁଡା ଗ୍ରାମକୁ ଯାଇଥିଲେ ।ସେଠାରୁ ସୁଯୋଗ ପାଇ ୨ଜଣ ଯୁବତୀଙ୍କୁ ସେହି ଗ୍ରାମରୁ ପାଖ ଜଙ୍ଗଲକୁ ନେଇ ବଳାତ୍କାର ଲାଗି ଉଦ୍ୟମ କରୁଥିବା ବେଳେ ସେମାନଙ୍କ କବଳରୁ ଜଣେ ଖସିଯାଇଥିଲା । ପରେ ରହି ଯାଇଥିବା ଯୁବତୀ ଜଣଙ୍କୁ ଏହି ୩ଜଣ ଅଭିଯୁକ୍ତ ରାତି ତମାମ ଦୁଷ୍କର୍ମ କରିବା ସହ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଘଟଣାସ୍ଥଳରେ ଛାଡି ଯାଇଥିଲେ । କୌଣସି ପ୍ରକାରେ ଯୁବତୀ ଜଣକ ଘରକୁ ଫେରି ପରିବାର ଲୋକଙ୍କୁ ସବୁ କହିବା ପରେ ପରିବାର ପକ୍ଷରୁ ଚାନ୍ଦିପୋଷ ଥାନାରେ ଏତଲା ହୋଇଥିଲା । ଏତଲାକୁ ଭିତି କରି ଉଭୟ ପୁଲିସ ଗୁରୁବାର ୩ ଜଣଙ୍କୁ ଗିରଫ କରିଥିବା ଜଣାପଡ଼ିଛି । ବିଗତ କିଛି ଦିନ ଧରି ଏହି ସବୁ ଅଂଚଳରେ ଏଭଳି ମାମଲା ବଢିଚାଲିଥିବା କୁହାଯାଉଛି ।