୯ରୁ ରଣଜୀ ଟ୍ରଫି କ୍ରିକେଟ: ଛତିଶଗଡ ସହ ଓଡ଼ିଶାର ପ୍ରଥମ ମୁକାବିଲା

ଭୁବନେଶ୍ୱର,ଏନ୍ଏନ୍ଏସ୍: ଭାରତର ସବୁଠାରୁ ଆକର୍ଷଣୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆସନ୍ତା ୯ରୁ ଆରମ୍ଭ ହେବ। ଏଥର ଏହି ଟୁର୍ଣ୍ଣାମେଣ୍ଟରେ ୩୮ଟି ଦଳ ଅଂଶଗ୍ରହଣ କରୁଥିଲାବେଳେ ଏହାକୁ ୪ଟି ଗ୍ରୁପ୍ରେ ଭାଗ କରାଯାଇଛି। ପ୍ରଥମ ୩ଟି ଗ୍ରୁପ୍କୁ ଏଲିଟ୍ ଏବଂ ଶେଷ ଗ୍ରୁପ୍କୁ ପ୍ଲେଟ ଗ୍ରୁପ୍ ଭାବେ ବିବେଚନା କରାଯାଉଛି। ଓଡ଼ିଶା ଦଳ ଏଲିଟ୍ ଗ୍ରୁପ୍-ସି’ରେ ସ୍ଥାନ ପାଇଛି। ଏହି ଗ୍ରୁପ୍ରେ ମୋଟ ୧୦ଟି ଦଳକୁ ସ୍ଥାନ ଦିଆଯାଉଥିଲାବେଳେ ଓଡ଼ିଶା ଲିଗ୍ ପର୍ଯ୍ୟାୟରେ ମୋଟ ୯ଟି ମ୍ୟାଚ୍ ଖେଳିବ। ଏହା ମଧ୍ୟରୁ ଘରୋଇ ମାଟିରେ ୫ଟି ଏବଂ ରାଜ୍ୟ ବାହାରେ ୪ଟି ମ୍ୟାଚ୍ ଖେଳିବାର କାର୍ଯ୍ୟକ୍ରମ ରହିଛି। ରାଜ୍ୟବାହାରେ ଛତିଶଗଡ ସହ ରାୟପୁରରେ ଖେଳି ଓଡ଼ିଶା ତାହାର ଅଭିଯାନ ଆରମ୍ଭ କରିବ। ଏହି ମ୍ୟାଚ୍ଟି ଡିସେମ୍ବର ୯ରୁ ୧୨ ତାରିଖ ରାୟପୁରର ସହୀଦ୍ ବୀର ନାରାୟଣ ସିଂ ଇଣ୍ଟରନ୍ୟାସନାଲ ଷ୍ଟାଡିୟମ୍ରେ ଖେଳାଯିବ।

ଶୁଭ୍ରାଂଶୁଙ୍କ ନେତୃତ୍ୱରେ ଦଳ ଘୋଷିତ: ଗତ ସିଜନରେ ଓଡ଼ିଶା ୪ଟି ମ୍ୟାଚ୍ ଜିତିଥିଲେ ମଧ୍ୟ କ୍ୱାର୍ଟର ଫାଇନାଲ ଖେଳିବାକୁ ଯୋଗ୍ୟତା ଅର୍ଜନ କରିପାରି ନଥିଲା। ଏଥିଲାଗି ଦଳ ମଧ୍ୟ କ୍ରିକେଟ ଏକାଡେମୀ ଓ ବାରବାଟୀ ଷ୍ଟାଡିୟମ୍ରେ ଜୋରଦାର ପ୍ରସ୍ତୁତି ଚଳାଇଛି। ରବିବାର ଓଡ଼ିଶା କ୍ରିକେଟ ଦଳ ଘୋଷଣା କରାଯାଉଛି। ଶୁଭ୍ରାଂଶୁ ସାମନ୍ତରାୟ ଦଳର ନେତୃତ୍ୱ ବଜାୟ ରଖିଥିଲାବେଳେ ସମସ୍ତ ଶ୍ରେଷ୍ଠ ଖେଳାଳିଙ୍କୁ ସ୍ଥାନ ମିଳିଛି। ଏମାନଙ୍କ ମଧ୍ୟରେ ଅନୁରାଗ ଷଡଙ୍ଗୀ ଓ ସନ୍ଦୀପ ପଟ୍ଟନାୟକ ଓପନର ଭାବେ ମନୋନୀତ ହୋଇଛନ୍ତି।

ମିଡଲ ଅର୍ଡରରେ ପୂର୍ବତନ ଅଧିନାୟକ ଗୋବିନ୍ଦ ପୋଦ୍ଦାର, ଅଧିନାୟକ ଶୁଭ୍ରାଂଶୁ, ଦେବାଶିଷ ସାମନ୍ତରାୟ, ଅଲରାଉଣ୍ଡର ବିପ୍ଳବ ସାମନ୍ତରାୟ, ଶାନ୍ତୁନୁ ମିଶ୍ର ଦାୟିତ୍ୱ ସମ୍ଭାଳିବେ। ଦଳରେ ସ୍ଥାନ ପାଇଥିବା ଦୁଇ ୱିକେଟକିପର ରାଜେଶ ଧୂପର ଓ ସୁଜିତ୍ ଲେଙ୍କାଙ୍କ ନିକଟରେ ବ୍ୟାଟିଂ କରିବାର ଦକ୍ଷତା ରହିଛି। ସ୍ପିନର ଭାବେ ବାମହାତୀ ପପୁ ରାୟ, ଲେଗ୍ ସ୍ପିନର ଅଭିଷେକ ରାଉତ ଏବଂ ପ୍ରଥମଥର ସ୍ଥାନ ପାଇଥିବା ଅଙ୍କିତ ଯାଦବ ସ୍ପିନ୍ ବିଭାଗ ସମ୍ଭାଳିବେ। ପେସ୍ ବୋଲିଂରେ ଅଭିଜ୍ଞ ବସନ୍ତ ମହାନ୍ତି, ସୂର୍ଯ୍ୟକାନ୍ତ ପ୍ରଧାନ, ଦୁଇ ଉଦୀୟମାନ ପେସ୍ ବୋଲର ରାଜେଶ ମହାନ୍ତି ଓ ଦେବବ୍ରତ ପ୍ରଧାନଙ୍କ ଉପରେ ଦଳର ସଫଳତା ଅଧିକ ନିର୍ଭର କରୁଛି। ପୂର୍ବପରି ରଶ୍ମିରଞ୍ଜନ ପରିଡା କୋଚ୍, ଶୁଭକାନ୍ତ ସାହୁ ଫିଜିଓ ଓ ମନୋଜ କୁମାର ବିଶ୍ୱାଳ ଟ୍ରେନର ଭାପେ ଦାୟିତ୍ୱରେ ରହିଛନ୍ତି।

ଓଡ଼ିଶା ଦଳ: ଅନୁରାଗ ଷଡଙ୍ଗୀ, ସନ୍ଦୀପ ପଟ୍ଟନାୟକ, ଗୋବିନ୍ଦ ପୋଦ୍ଦାର, ଶୁଭ୍ରାଂଶୁ ସାମନ୍ତରାୟ, ଦେବାଶିଷ ସାମନ୍ତରାୟ, ଶାନ୍ତନୁ ମିଶ୍ର, ବିପ୍ଳବ ସାମନ୍ତରାୟ, ରାଜେଶ ଧୂପର, ସୁଜିତ ଲେଙ୍କା, ପପୁ ରାୟ, ଅଭିଷେକ ରାଉତ, ଅଙ୍କିତ ଯାଦବ, ବସନ୍ତ ମହାନ୍ତି, ସୂର୍ଯ୍ୟକାନ୍ତ ପ୍ରଧାନ, ରାଜେଶ ମହାନ୍ତି ଓ ଦେବବ୍ରତ ପ୍ରଧାନ।