ଆତଙ୍କବାଦୀଙ୍କ ଟାର୍ଗେଟରେ ଅଯୋଧ୍ୟା

ନୂଆଦିଲ୍ଲୀ,ଏଜେନ୍ସି: ଅଯୋଧ୍ୟାରେ ରାମମନ୍ଦିର ନିର୍ମାଣ ଲାଗି ଆସନ୍ତା ୫ ତାରିଖରେ ଭୂମିପୂଜା ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି କାର୍ଯ୍ୟକ୍ରମରେ ଯୋଗଦେବେ। ଏହି ଭୂମିପୂଜା କାର୍ଯ୍ୟକ୍ରମ ଉପରେ ଏବେ ସାରା ବିଶ୍ୱର ଦୃଷ୍ଟି ରହିଛି। ଏହା ଫଳରେ ଅଯୋଧ୍ୟା ଆତଙ୍କବାଦୀଙ୍କ ଟାର୍ଗେଟକୁ ଆସିଯାଇଛି। ଭାରତୀୟ ଗୁଇନ୍ଦା ସଂସ୍ଥା ‘ର’ (ରିସର୍ଚ୍ଚ ଏଣ୍ଡ ଆନାଲିସିସ ୱିଙ୍ଗ) ପକ୍ଷରୁ ସରକାରଙ୍କୁ ଦିଆଯାଇଥିବା ଏକ ରିପୋର୍ଟରେ ଏ ନେଇ ସତର୍କ କରିଦିଆଯାଇଛି। ‘ର’ ପକ୍ଷରୁ କୁହାଯାଇଛି ଯେ, ପାକିସ୍ତାନର କୁଖ୍ୟାତ ଗୁଇନ୍ଦା ସଂସ୍ଥା ଆଇଏସଆଇ ଆସନ୍ତା ଅଗଷ୍ଟ ୧୫ ତାରିଖରେ ଅଯୋଧ୍ୟାରେ ଏକ ଆତଙ୍କବାଦୀ ଆକ୍ରମଣ କରିବାକୁ ଷଡଯନ୍ତ୍ର କରୁଛି। ଏହି ଆକ୍ରମଣ ଲାଗି ଆତଙ୍କବାଦୀ ସଙ୍ଗଠନ ଜୈସ-ଇ-ମହମ୍ମଦ ଓ ଲସ୍କର-ଇ-ତୋଇବାକୁ ଦାୟିତ୍ୱ ଦିଆଯାଇଛି। ଏହି ଦୁଇ ସଙ୍ଗଠନର କିଛି ଆତଙ୍କବାଦୀ ଏଥିଲାଗି ଆଫଗାନିସ୍ତାନରେ ତାଲିମ ନେଉଛନ୍ତି। ଆଇଏସଆଇ ପକ୍ଷରୁ ଅଯୋଧ୍ୟାରେ ଆତଙ୍କୀ ଆକ୍ରମଣ ଲାଗି ୩ରୁ ୫ଟି ଦଳ ଗଠନ କରାଯାଇଛି। ଏହି ଆକ୍ରମଣ ବେଳେ ଭିଆଇପିମାନଙ୍କୁ ଟାର୍ଗେଟ କରିବାକୁ କୁହାଯାଇଛି। ଏହି ଗୁଇନ୍ଦା ରିପୋର୍ଟ ଆସିବା ପରେ ଅଯୋଧ୍ୟାରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି।