ହସ୍ପିଟାଲରେ ନିଜ ପୋଷାକ ସଫା କରୁଛନ୍ତି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ

ଭୋପାଳ, ଏଜେନ୍ସି: ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ୱାନ କରୋନାରେ ଆକ୍ରାନ୍ତ ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ସେଠାରେ ସେ ନିଜ ପୋଷାକ ନିଜେ ଧୋଉଛନ୍ତି। ଗତ ଶନିବାର ଶିବରାଜଙ୍କ କରୋନା ରିପୋର୍ଟ ପଜିଟିଭ୍ ବାହାରିଥିଲା। ଏହାପରେ ଭୋପାଳସ୍ଥିତ ଚିରାୟୁ କୋଭିଡ କେୟାର ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଛି। ମଙ୍ଗଳବାର ସେ ତାଙ୍କ କ୍ୟାବିନେଟର ଭର୍ଚୁଆଲ ବୈଠକ କରିଥିଲେ। ଏହି ସମୟରେ ସେ ହସ୍ପିଟାଲରେ ୩ ଦିନ ବିିତାଇଥିବା ନିଜ ଅନୁଭୂତି ସମ୍ପର୍କରେ ମନ୍ତ୍ରିମଣ୍ଡଳର ସଦସ୍ୟମାନଙ୍କୁ ଜଣାଇଥିଲେ। ସେ କହିଥିଲେ, ମୁଁ କରୋନା ପଜିଟିଭ୍ ହୋଇଛି। ଏଥିପାଇଁ ନିଜେ ଚା’ ତିଆରି କରୁଛି ଏବଂ ନିଜ ପୋଷାକ ବି ସଫା କରୁଛି। କାରଣ କୋଭିଡ ରୋଗୀଙ୍କ ପୋଷାକ ଅନ୍ୟ ସୁସ୍ଥ ବ୍ୟକ୍ତି ସଫା କରିବା ଉଚିତ ନୁହେଁ। ସେ ଆହୁରି କହିଛନ୍ତି, ତାଙ୍କ ଦେହରେ ଜ୍ୱର ନାହିଁ, କାଶ ନିୟନ୍ତ୍ରଣରେ ରହିଛି ଏବଂ ସେ କ୍ରମଶଃ ସୁସ୍ଥ ହେଉଥିବା ଅନୁଭବ କରୁଛନ୍ତି।