ନୂଆଦିଲ୍ଲୀ: ସାଧ୍ୱୀଙ୍କ ସହ ଦୁଷ୍କର୍ମ ଓ ସାମ୍ବାଦିକ ରାମଚନ୍ଦ୍ର ଛତ୍ରପତିଙ୍କ ହତ୍ୟା ମାମଲାରେ ସଜା କାଟୁଥିବା ବାବା ଗୁରମୀତ ରାମ ରହୀମ ସିଂହ ଏବେ ଆଉ ଏକ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ରାମ ରହିମଙ୍କୁ ଡେରା ମ୍ୟାନେଜର ରଣଜୀତ ସିଂହ ହତ୍ୟାକାଣ୍ଡରେ ଦୋଷୀ ସାବ୍ୟସ୍ତ କରାଯାଇଛି। ଆଜି ପଞ୍ଚକୁଲାର ସିବିଆଇ କୋର୍ଟ ଏହି ଫଇସଲା ଶୁଣାଇଛନ୍ତି। ଏଥିସହିତ ଆସନ୍ତା ୧୨ ତାରିଖରେ ସଜା ଶୁଣାଯିବ ବୋଲି ଜଣାପଡ଼ିଛି।
ସୂଚନାଯୋଗ୍ୟ, ରଣଜୀତ ସିଂହ ଏକଦା ରାମ ରହିମଙ୍କ ଡେରା ମ୍ୟାନେଜର ଓ ତାଙ୍କ ଭକ୍ତ ଥିଲେ। କିନ୍ତୁ ୨୦୦୨ ଜୁଲାଇ୧୦ରେ ହଠାତ୍ ରଣଜୀତ ସିଂହଙ୍କୁ ଗୁଳି ମାରି ହତ୍ୟା କରାଯାଇଥିଲା। ହତ୍ୟା ମାମଲାରେ ରାମ ରହିମଙ୍କ ସହ ତାଙ୍କ ସହଯୋଗୀ କୃଷ୍ଣ ଲାଲ ମଧ୍ୟ ଫସିଥିଲେ। ରାମ ରହିମ ଏବେ ହରିୟାଣାର ରୋହତକର ସୁନାରିୟା ଜେଲରେ ସଜା କାଟୁଛନ୍ତି।