ଘରେ ରହି ରଜ ପାଳିବାକୁ ତହସିଲ ଅଞ୍ଚଳ ଲୋକଙ୍କୁ ନିବେଦନ କଲେ ଜିଲ୍ଲାପାଳ

କଟକ,ଏନ୍ଏନ୍ଏସ୍: କରୋନା ଭାଇରସ୍ ବିସ୍ତାରକୁ ରୋକିବା ପାଇଁ କେନ୍ଦୁଝର, ଖୋର୍ଦ୍ଧା ଏବଂ ବାଲେଶ୍ୱର ପରେ କଟକରେ ମଧ୍ୟ ରଜ ପର୍ବ ଉପରେ ପ୍ରତିବନ୍ଧକ ଲଗାଇଲା ଜିଲ୍ଲା ପ୍ରଶାସନ। ତେଣୁ ୧୫ ଓ ୧୬ ଦୁଇ ଦିନ ଘରେ ରହି ରଜ ପାଳିବାକୁ ତହସିଲ ଅଞ୍ଚଳ ଲୋକଙ୍କୁ ନିବେଦନ କଲେ ଜିଲ୍ଲାପାଳ।

ପ୍ରଶାସନର ନିର୍ଦ୍ଦେଶ ଅନୁଯାୟୀ, ସର୍ବସାଧାରଣ ସ୍ଥାନରେ ଏକାଠି ରଜ ମହୋତ୍ସବ ପାଳନ କରିବା ସମ୍ପୂର୍ଣ୍ଣ ଭାବରେ ନିଷେଧ କରାଯାଇଛି। ଏପରିକି ଏହି ପର୍ବ ସହ ଜଡ଼ିତ ‘ପୁଚି’, ଦୋଳି ଏବଂ ‘ବାଗୁଡି’ ଭଳି ଖେଳ ଖେଳିବାକୁ ମଧ୍ୟ ପ୍ରଶାସନ ପକ୍ଷରୁ ବାରଣ କରାଯାଇଛି।

ଏହା ସହ ଗ୍ରାହକଙ୍କ ଗହଳିକୁ ରୋକିବା ପାଇଁ ବଜାର ସ୍ଥାନଗୁଡିକରେ ଥିବା ଦୋକାନ ମାଲିକମାନଙ୍କୁ ମଧ୍ୟ ପ୍ରଶାସନ ନିର୍ଦ୍ଦେଶ ଦେଇଛି ଏବଂ ଏହାଛଡା ପର୍ବ ସମୟରେ ଯଦି କୌଣସି ଦୋକାନରେ ଅଧିକ ଜନସମାଗମ ହୁଏ ତେବେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ଚେତାବନୀ ଦିଆଯାଇଛି।

ଏହାପୂର୍ବରୁ କେନ୍ଦୁଝର, ଖୋର୍ଦ୍ଧା ଏବଂ ବାଲେଶ୍ବର ଜିଲ୍ଲାରେ ରଜ ଉତ୍ସବ ପାଳନ ଉପରେ କଟକଣା ଲଗାଇଥିଲେ ଜିଲ୍ଲା ପ୍ରଶାସନ । ହେଲେ ଆଜି କଟକରେ ରେକର୍ଡ ସଂଖ୍ୟକ ୯୨ ନୂତନ କରୋନା ରୋଗୀ ଚିହ୍ନଟ ହେବା ପରେ କରୋନା ନିୟମକୁ ଅଧିକ କଡାକଡି କରିଛି ଜିଲ୍ଲା ପ୍ରଶାସନ।