ନୂଆଦିଲ୍ଲୀ: ଭାରତ-ଚୀନ ସୀମା ବିବାଦକୁ ନେଇ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଲୋକସଭାରେ ବକ୍ତବ୍ୟ ଦେଇଛନ୍ତି। ରାଜନାଥ କହିଛନ୍ତି ଯେ, ସୀମା ବିବାଦ ହେଉଛି ଏକ ଗମ୍ଭୀର ପ୍ରସଙ୍ଗ। ଉଭୟ ଦେଶ ଶାନ୍ତିକୁ ନେଇ ସହମତି ପ୍ରକାଶ କରିଛନ୍ତି। ଚୀନର ସମସ୍ତ ଯୋଜନାକୁ ବିଫଳ କରିବାରେ ଆମ ଯବାନ ସଫଳ ହୋଇଛନ୍ତି।
ରାଜନାଥ ସିଂହ ଆହୁରି କହିଛନ୍ତି ଯେ, ଆମ ସୁରକ୍ଷାବଳ ସବୁ ପରିସ୍ଥିତିର ସାମ୍ନା କରିବା ପାଇଁ ପ୍ରସ୍ତୁତ ରହିଛି। ଆମେ ସେମାନଙ୍କ ସହ ଦୃଢ଼ଭାବେ ଠିଆ ହୋଇଛୁ। ଗୋଟିଏ ପଟେ ଆମ ଯବାନ ବଳିଦାନ ଦେଇଥିବାବେଳେ ଅନ୍ୟପଟେ ଚୀନକୁ ମଧ୍ୟ ଅନେକ କ୍ଷତି ସହିବାକୁ ପଡ଼ିଛି। ଉଭୟ ଦେଶକୁ ଏଲଏସିର ସମ୍ମାନ କରିବାକୁ ପଡ଼ିବ। ଏଲଏଏସି ଓ ଆଭ୍ୟନ୍ତରୀଣ କ୍ଷେତ୍ରରେ ଚୀନ ବଡ଼ ସଂଖ୍ୟାରେ ସେନା ମହଜୁତ କରାଇବା ସହ ବିପୁଳ ପରିମାଣରେ ଅସ୍ତ୍ରଶସ୍ତ୍ର ମଧ୍ୟ ରଖିଛି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲଦାଖ ଗସ୍ତରେ ଯାଇ ଆମ ସୈନିକଙ୍କୁ ଭେଟିଥିବା ରାଜନାଥ କହିଛନ୍ତି। ସେଠାରେ ମୋଦୀ ଜୀ ଯବାନଙ୍କ ସହ ସର୍ବଦା ଠିଆ ହୋଇଥିବା କଥା ମଧ୍ୟ ଉଲ୍ଲେଖ କରିଥିଲେ। ମୁଁ ବି ଲଦାଖ ଯାଇ ସୈନିକଙ୍କ ସହ ସମୟ ବିତାଇବା ସହ ସେମାନଙ୍କ ମନୋବଳ ବଢ଼ାଇଛି।