ମହାରାଷ୍ଟ୍ରର ସ୍ୱାସ୍ଥ୍ୟ ମନ୍ତ୍ରୀ ରାଜେଶ ଟୋପେ କରୋନା ସଂକ୍ରମିତ

ମୁମ୍ବାଇ,ଏଜେନ୍ସି: ମହାରାଷ୍ଟ୍ରରେ କରୋନା ପ୍ରକୋପ ପୁଣି ବଢ଼ିବାରେ ଲାଗିଛି। ଏନେଇ ପୁଣିଥରେ ମୁମ୍ବାଇରେ ଲକଡାଉନ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଛି। ଏହି ମଧ୍ୟରେ ମହାରାଷ୍ଟ୍ରର ସ୍ୱାସ୍ଥ୍ୟ ମନ୍ତ୍ରୀ ରାଜେଶ ଟୋପେ କରୋନା ସଂକ୍ରମିତ ହୋଇଛନ୍ତି। ଏନେଇ ଗୁରୁବାର ବିଳମ୍ବିତ ରାତ୍ରିରେ ସେ ନିଜେ ଟୁଇଟ କରି ସୂଚନା ଦେଇଛନ୍ତି। ସେ କହିଛନ୍ତି କି ମୋ ସ୍ୱାସ୍ଥ୍ୟ ଠିକ୍ ଅଛି ଏବଂ ଡାକ୍ତରଙ୍କ ପରାମର୍ଶ କ୍ରମେ ମୁଁ ଆଇସୋଲେସନରେ ଅଛି। ଏବଂ ଆପଣ ସମସ୍ତଙ୍କ ଆର୍ଶିବାଦରୁ ମୁଁ ଶୀଘ୍ର କରୋନାକୁ ହରାଇ ଆପଣଙ୍କ ସେବାରେ ଉପସ୍ଥିତ ହେବି। ତେବେ ଗତ କିଛିଦିନ ଭିତରେ ମୋ ସଂସ୍ପର୍ଶରେ ଆସିଥିବା ଲୋକମାନଙ୍କୁ ମୁଁ ଅନୁରୋଧ କରୁଛି କି ସେମାନେ ତୁରନ୍ତ କୋଭିଡ ଟେଷ୍ଟ କରାଇ ନିଅନ୍ତୁ।

ସୂଚନା ଅନୁସାରେ ମହାରାଷ୍ଟ୍ରରେ କରୋନା ସଂକ୍ରମଣ ହ୍ରାସ ପାଉଥିବା ବେଳେ ଗତ ଏକ ସପ୍ତାହ ଧରି ପୁଣି ସଂକ୍ରମଣ ବଢ଼ିବାରେ ଲାଗିଛି। ଏଥିସହିତ ଗତକାଲି ସୁଦ୍ଧା ମହାରାଷ୍ଟ୍ରରେ ୫ ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।