ପାଟଣାରେ ଗଡ଼ିଲା ରାଜସ୍ୱ ରଥ

ପାଟଣା,ଏନ୍ଏନ୍ଏସ୍: କେନ୍ଦୁଝର ଜିଲ୍ଲା ପାଟଣା ତହସିଲ ପକ୍ଷରୁ ସୋମବାର ଠାରୁ ରାଜସ୍ୱ ରଥ ଗଡ଼ିଛି। ନିର୍ଦ୍ଧାରିତ ସମୟ ଭିତରେ ଲୋକେ ବିଭାଗର ସମସ୍ତ ପ୍ରକାର ସେବା ପାଇପାରିବେ। ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ୫ଟି କାର୍ଯ୍ୟକ୍ରମରେ ଏହି ପଦକ୍ଷେପ ଗ୍ରହଣ ହୋଇଥିବା ଜଣାପଡିଛି। ଇଣ୍ଟରନେଟ ସୁବିଧା ନଥିବା କିମ୍ବା ଡିଜିଟାଲ ସ୍ୱାକ୍ଷର ଅଭାବ ଥିବା ଅଞ୍ଚଳର ଲୋକେ ସହାୟତା ପାଇଁ ତହସିଲ ଅଫିସ କିମ୍ବା ମୋ’ ସେବା କେନ୍ଦ୍ରକୁ ଆସୁଛନ୍ତି। ରାଜ୍ୟରେ କୋଭିଡ ୧୯ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ କର୍ମଚାରୀଙ୍କ ସୁରକ୍ଷା ପାଇଁ ଓଡିଶା ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା କୋଭିଡ ପରିଚାଳନା ନିର୍ଦ୍ଦେଶାବଳୀ ଅନୁଯାୟୀ ରାଜସ୍ୱ କାର୍ଯ୍ୟାଳୟରେ ଜନ ସାଧାରଣଙ୍କ ପ୍ରବେଶକୁ ବାରଣ କରାଯାଇଛି।

କୋଭିଡ-୧୯ ମହାମାରୀ ସମୟରେ ନାଗରିକ ମାନଙ୍କୁ ନିରବଛିନ୍ନ ଭାବରେ ରାଜସ୍ୱ ସେବା ଯୋଗାଇଦେବା ପାଇଁ ଆଜିଠାରୁ ପାଟଣା ତହସିଲ କାର୍ଯ୍ୟାଳୟ ପକ୍ଷରୁ ରାଜସ୍ୱ ରଥ ଗଡ଼ିଛି। ପାଟଣା ତହସିଲଦାର ତାପସ ରଞ୍ଜନ ଦେହୁରୀ ଏହି ରାଜସ୍ୱ ରଥର ଉଦଘାଟନ କରିଛନ୍ତି। ପାଟଣା ତହସିଲ ପକ୍ଷରୁ ତାଲା ବନ୍ଦ ସମୟରେ ଲୋକେ ତାଙ୍କ ଘରେ ବସି ରାଜସ୍ୱ ସେବା କିପରି ପାଇବେ ସେଥିପ୍ରତି ଦୃଷ୍ଟି ଦେଇ ତହସିଲଦାର ତାପସ ରଞ୍ଜନ ଦେହୁରୀଙ୍କ ତତ୍ତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଆଜି ପ୍ରଥମ ଦିନରେ ସୋରାସକେଲା ଗ୍ରାମର ୧୧ ଜଣଙ୍କୁ ଜମିପଟ୍ଟା ଓ ବିବିଧ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା। ତହସିଲ ପକ୍ଷରୁ ସୁପର ଭାଇଜର ବନମାଳୀ ମହାନ୍ତ, ଅମଲା ରମାକାନ୍ତ ମହାନ୍ତ, ପାଟଣା ରାଜସ୍ୱ ନିରୀକ୍ଷକ ସତ୍ୟବ୍ରତ ସାହୁ, ସୋରାସକେଲା ରାଜସ୍ୱ ନିରୀକ୍ଷକ ବୁଦ୍ଧଦେବ ମହାନ୍ତ ପ୍ରମୁଖ ଉପସ୍ଥିତ ରହି ଲୋକଙ୍କୁ ସେବା ଯୋଗାଇଥିଲେ।